କାହିଁକି କଂଗ୍ରେସ ଛାଡ଼ିଲେ ବିଜୟ ପଟ୍ଟନାୟକ ?
Bijay Pattanaik

କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଦଳ ଛାଡ଼ିଛନ୍ତି । ଦଳରେ ଗୁରୁତ୍ୱ ମିଳୁନଥିବାରୁ ବିଜୟ ଦଳକୁ ବାଏବାଏ କରିଛନ୍ତି । ଏନେଇ ସେ ଏଆଇସିସିକୁ ଇସ୍ତଫା ପତ୍ର ପଠାଇଛନ୍ତି । ମେଲ୍ ଯୋଗେ ସେ ଇସ୍ତଫା ପତ୍ର ପଠାଇଛନ୍ତି ।
ସୂଚନାଯୋଗ୍ୟଯେ, ନିକଟରେ ଶ୍ରୀକାନ୍ତ ଜେନା, ରାମଚନ୍ଦ୍ର କାଡ଼ାମ, ଜୟଦେବ ଜେନା, ସପ୍ତଗିରି ଉଲାକା, ଅଶୋକ ଦାସ, ଭକ୍ତଚରଣ ଦାସ, ଅନନ୍ତ ପ୍ରସାଦ ସେଠୀ, ମହମ୍ମଦ ମୋକିମ, ଦେବାଶିଷ ପଟ୍ଟନାୟକ, ବିଶ୍ୱରଞ୍ଜନ ମହାନ୍ତି, ବଳଭଦ୍ର ମାଝୀ, ସସ୍ମିତା ବେହେରାଙ୍କୁ ଷ୍ଟିୟରିଂ କମିଟିରେ ରଖାଯାଇଛି । କିନ୍ତୁ ବିଜୟଙ୍କୁ ଏହି କମିଟିରେ ସ୍ଥାନ ମିଳିନାହିଁ । ସେହିପରି ବିଜୟଙ୍କୁ ଦଳ ପ୍ରଚାର କମିଟି ଅଧ୍ୟକ୍ଷ କରିଥିବାବେଳେ ପରେ କିନ୍ତୁ ଦାୟିତ୍ୱ କାଢ଼ି ନେଇଥିଲା । ଗତ ନିର୍ବାଚନରେ ସେ ପାରଳାଖେମୁଣ୍ଡିରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଛନ୍ତି । ତେବେ ନିର୍ବାଚନ ପରେପରେ ବିଜୟଙ୍କୁ ଆଉ ଦଳ ଲୋଡ଼ିନଥିଲା ।
ଆଗାମୀ ଦିନରେ କଂଗ୍ରେସର କ’ଣ ରଣନୀତି ରହିଛି ତାହାକୁ ନେଇ ବି ଦ୍ୱନ୍ଦ୍ୱ ଲାଗିରହିଛି । ଏପଟେ ସଂଗଠନରେ ଗୁରୁତ୍ୱ ମିଳୁନଥିବାବେଳେ ଆଗାମୀ ଦିନରେ ଦଳ ଉଠିପାରିବ ନାହିଁ ବୋଲି ବିଜୟ ଭଲଭାବେ ଜାଣିସାରିଛନ୍ତି । ୨୦୨୯ ପାଇଁ ଅପେକ୍ଷା କରି କିଛି ଲାଭ ନାହିଁ ବୋଲି ସେ ଅନୁଭବ କରିସାରିଛନ୍ତି । ଏବେ ସେ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି । ଆଗାମୀ ଦିନରେ ସେ ଅନ୍ୟ ଦଳରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।