ନିଜ ପାଖରେ ଏହି ସବୁ ବିଭାଗ ରଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ପ୍ରଥମ ବିଜେପି ସରକାର ଗଠନ ହେବାର ୪ ଦିନ ପରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ପାଖରେ ଗୃହ, ଅର୍ଥ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ, ଯୋଜନା ଓ ସଂଯୋଜନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି । ସରକାରିଆ କମିଶନର ପ୍ରାବଧାନ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ ୨୨ଜଣ(ବିଧାନସଭା ସଦସ୍ୟଙ୍କ ୧୫ପ୍ରତିଶତ) ରହିବାର ବ୍ୟବସ୍ଥା ଥିଲେ ମଧ୍ୟ ବିଜେପି ନିଜର ମନ୍ତ୍ରିମଣ୍ଡଳର ସଂଖ୍ୟାକୁ ୧୬ଜଣଙ୍କ ମଧ୍ୟରେ ସୀମିତ ରଖିଛି । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବା ୬ଟି ବିଭାଗକୁ ନିକଟ ଭବିଷ୍ୟତରେ ଆଉ କିଛି ମନ୍ତ୍ରୀଙ୍କୁ ସାମିଲ କରି ଅନ୍ୟ କାହାକୁ ଆବଣ୍ଟନ କରାଯାଇପାରେ ବୋଲି ଜଣାପଡ଼ିଛି ।
ରାଜଭବନ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ରାଜ୍ୟପାଳ ରଘୁବର ଦାସ ନିଜ କ୍ଷମତାର ଉପଯୋଗ କରି ମନ୍ତ୍ରୀମାନଙ୍କୁ ବିଭାଗ ଆବଣ୍ଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ପାଖରେ ଗୃହ, ଅର୍ଥ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ, ଯୋଜନା ଓ ସଂଯୋଜନ ସହ କାହାରିକୁ ଆବଣ୍ଟିତ ହୋଇନଥିବା ବିଭାଗକୁ ନିଜ ପାଖରେ ରଖିଛନ୍ତି ।
ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ କୃଷି ଓ କୃଷକ ସଶକ୍ତିକରଣ ସହ ଶକ୍ତି ବିଭାଗ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ମହିଳା ଓ ଶିଶୁବିକାଶ, ମିଶନଶକ୍ତି ଓ ପର୍ୟ୍ୟଟନ ବିଭାଗ ଦାୟିତ୍ୱ ମିଳିଛି ।