୮ରୁ ୭ ବଦଳିଲେ; ଦଳଡିଆଁଙ୍କ ଉପରେ ବିଜେପିର ଭରସା
୮ରୁ ୭ ବଦଳିଲେ; ଦଳଡିଆଁଙ୍କ ଉପରେ ବିଜେପିର ଭରସା Odisha BJP

ବିଜେପି ପ୍ରାର୍ଥୀ ତାଲିକା
୮ରୁ ୭ ବଦଳିଲେ
ଦଳଡିଆଁଙ୍କ ଉପରେ ବିଜେପିର ଭରସା
ଚମ୍ପୁଆରୁ ପୁଣି ଲଢ଼ିବେ ମୁରଲୀ
ଆଉ ୭ ଆସନରେ ଝୁଲିଲା
ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଚମ୍ପୁଆକୁ ଛାଡ଼ିଦେଲେ ବାକି ସବୁ ସ୍ଥାନରେ ଦଳ ପ୍ରାର୍ଥୀ ବଦଳାଇଛି । ବିଶେଷକରି ଦଳଡିଆଁଙ୍କ ଉପରେ ଦଳ ବେଶୀ ଭରସା କରିଛି । ଅଧିକାଂଶ ଆସନରେ ବିଜେଡ଼ିରୁ ଆସିଥିବା ନେତାଙ୍କୁ ଦଳ ଟିକେଟ ଦେଇଛି । ସାଲେପୁର, କେନ୍ଦ୍ରାପଡ଼ା, ତେଲକୋଇ, ବାସୁଦେବପୁର, ହିନ୍ଦୋଳ, ଖୋର୍ଦ୍ଧା ଓ ବସ୍ତାରେ ଦଳ ପ୍ରାର୍ଥୀ ବଦଳାଇ ବିଜୟର ଅଙ୍କ କଷିଛି ।
ଚମ୍ପୁଆରୁ ପୁଣିଥରେ ମୁରଲୀ ମନୋହର ଶର୍ମା ନିର୍ବାଚନ ଲଢ଼ିବେ । ଅପରପକ୍ଷରେ ସାଲେପୁରରେ ଗତଥର ପ୍ରକାଶ ବେହେରା ବିଜେପି ପ୍ରାର୍ଥୀ ହୋଇଥିଲେ । ହେଲେ ଏବେ ସେ ବିଜୁ ଜନତା ଦଳ ଟିକେଟରେ କଟକ-ବାରବାଟୀରୁ ନିର୍ବାଚନ ଲଢ଼ିବେ । ସେହିସ୍ଥାନରେ ଅରିନ୍ଦମ ରାୟଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି । କେନ୍ଦ୍ରାପଡ଼ାରେ ଦଳ ଗୀତାଞ୍ଜଳୀ ସେଠୀଙ୍କ ଉପରେ ଭରସା କରିଛି । ଗଣେଶ୍ୱର ବେହେରାଙ୍କୁ ବିଜେଡ଼ି ଟିକେଟ ଦେବାରୁ ସେ ଇସ୍ତଫା ଦେଇଥିଲେ । ଗୀତାଞ୍ଜଳୀ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଛନ୍ତି । ଯେତେବେଳେକି ବିଜେଡ଼ିରୁ ଯାଇ ସିପ୍ରା ମଲ୍ଳିକ କଂଗ୍ରେସ ଟିକେଟ ହାତେଇ ନେଇଛନ୍ତି ।
ହିନ୍ଦୋଳରୁ ଟିକେଟ ନପାଇବାରୁୁ ବିଧାୟିକା ସୀମାରାଣୀ ନାୟକ ନିକଟରେ ବିଜେଡ଼ି ଛାଡ଼ିଥିଲେ । ବିଜେଡ଼ି ଛାଡ଼ି ସେ ବିଜେପିରେ ଯୋଗଦେବା ସହ ଟିକେଟ ପାଇବାରେ ସଫଳ ହୋଇଛନ୍ତି । ଖୋର୍ଦ୍ଧା ଟିକେଟକୁ ନେଇ ବିଜେପି କାର୍ଯ୍ୟାଳୟରେ ହଙ୍ଗାମା ହୋଇଥିଲା । ୨୦୧୯ର ପ୍ରାର୍ଥୀ କାଳୁ ଖଣ୍ଡାୟତରାୟଙ୍କ ଗୋଷ୍ଠୀ ଝଡ଼ ସୃଷ୍ଟି କରିଥିଲେ । ଯେଉଁଥିପାଇଁ ଏହି ଆସନକୁ ନେଇ ଦଳ ପ୍ରାର୍ଥୀ ଚୟନ କରିପାରିନଥିଲା । କିନ୍ତୁ ପରିଶେଷରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଛି ।
ତେଲକୋଇରୁ ଫକୀର ମୋହନ ନାଏକଙ୍କୁ ଦଳ ଟିକେଟ ଦେଇଥିବାବେଳେ ବାସୁଦେବପୁରରୁ ଲଢ଼ିବେ ବାଣୀକଲ୍ୟାଣ ମହାନ୍ତି । ବାଣୀ ମଧ୍ୟ ବିଜେଡ଼ିରୁ ଯାଇ ବିଜେପିରେ ମିଶିଥିଲେ । ଅପରପକ୍ଷରେ ବସ୍ତାରୁ ଗତଥର ରଘୁନାଥ ମହାନ୍ତି ନିର୍ବାଚନ ଲଢ଼ିଥିଲେ । ତେବେ ସେ ବିଜେପି ଛାଡ଼ି ଏବେ ନୀରବରେ ବସିଛନ୍ତି । ସେହି ସ୍ଥାନରେ ରବୀନ୍ଦ୍ର ଅଣ୍ଡିଆଙ୍କ ଉପରେ ଦଳ ଭରସା କରିଛି ।