ଆଜି ବିଜେପିର ଶକ୍ତି ପ୍ରଦର୍ଶନ : ମୋହନଙ୍କ ରୋଡ଼ଶୋ’, ବିଷ୍ଣୁଦେବଙ୍କ ସଭା

ଆଜି ବିଜେପିର ଶକ୍ତି ପ୍ରଦର୍ଶନ : ମୋହନଙ୍କ ରୋଡ଼ଶୋ’, ବିଷ୍ଣୁଦେବଙ୍କ ସଭା

ନୂଆପଡା : କୋମନା ବ୍ଳକରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଶକ୍ତି ପ୍ରଦର୍ଶନ କରିଥିଲେ । ବିଜେପି ଉପରେ ବର୍ଷିଥିଲେ । ଆସନ୍ତାକାଲି ଏହାର ଜବାବ ଦେବାକୁ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୋମନା ବ୍ଳକରେ ସେ ବିଶାଳ ରୋଡ଼ଶୋ’ କରିବେ । ସେପଟେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ ପ୍ରଚାର କରିବେ । ନୂଆପଡ଼ାରେ ସେ ବିଶାଳ ସାଧାରଣ ସଭାକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

    ଆଜି ନୂଆପଡା ବିଜେପି କାର୍ଯ୍ୟାଳୟରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ଦେଇଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ପୂର୍ବାହ୍ନ ୧୧ଟା ସମୟରେ ଛତିଶଗଡର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ନୂଆପଡା ବ୍ଲକ ଅଧିନସ୍ଥ କୁଟବନବେରା ପଞ୍ଚାୟତ ଅନ୍ତର୍ଗତ ପଞ୍ଚମପୁର ଠାରେ ଏକ ବିଶାଳ ଜନ ସମାବେଶରେ ଯୋଗ ଦେଇ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

     ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋମନା ବ୍ଲକ ଅନ୍ତର୍ଗତ ଉଦ୍ୟାନବନ ଠାରେ ପହଞ୍ଚି କୋମନା ଯିବେ । କୋମନା ବ୍ଲକ ମୁଖ୍ୟାଳୟ ଠାରେ ଏକ ବିଶାଳ ରୋଡ଼ଶୋ’ କରିବା ପରେ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି ଉପସ୍ଥିତ ଥିଲେ । ଦୁଇ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ଶିବିର ଚଳଚଞ୍ଚଳ ହୋଇଯାଇଛି । ଉଭୟ କୋମନା ଓ ନୂଆପଡ଼ାରେ ଦଳ ଶକ୍ତି ପ୍ରଦର୍ଶନ କରିବ । କୋମନାରେ ନବୀନ କରିଥିବା ବିଶାଳ ସଭାକୁ ମୋହନଙ୍କ ସଭା ଟକ୍କର ଦେବ । ୧୫ ହଜାରରୁ ଉଦ୍ଧ୍ୱର୍ ଲୋକଙ୍କ ସମାଗମ ପାଇଁ ବିଜେପି ଯୋଜନା କରିଛି । ସେପଟେ ନୂଆପଡ଼ାରେ ବି ଦଳ ୧୦ ହଜାରରୁ ଅଧିକ ଲୋକଙ୍କୁ ନେଇ ବିଶାଳ ସମାବେଶ କରିବ ।