କାହିଁକି ବିଜେଡ଼ି ଛାଡୁଛନ୍ତି ନେତା ?
Biju Janata Dal, Naveen Patnaik
ଭୁବନେଶ୍ୱର : ଭୁବନେଶ୍ୱର ପରେ ଏବେ କଟକରେ ବିଜେଡ଼ି କଳି ଜୋର୍ ଧରିଲାଣି । ବିଜେଡ଼ି ନେତାମାନେ ଏବେ ଛକାପଞ୍ଝା ଅବସ୍ଥାରେ ଅଛନ୍ତି । ନିର୍ବାଚନ ପୂର୍ବରୁ ପ୍ରକାଶ ବେହେରାଙ୍କୁ ଶଙ୍ଖ ଧରାଇ ଦଳୀୟ ଟିକେଟ ଦେଇଥିଲେ ଭିକେ ପାଣ୍ଡିଆନ୍ । ହେଲେ ସେ ଏବେ ବିଜେଡ଼ିକୁ ବାଏବାଏ କରି ବିଜେପି ମୁହାଁ ହୋଇଛନ୍ତି । ଆଗକୁ କଟକର ଅନେକ ନେତା ଦଳ ଛାଡ଼ି ବିଜେଡ଼ି ଯିବେବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଏକଦା କଟକ ଥିଲା ବିଜେଡ଼ି ଗଡ଼ । ବିଧାୟକଙ୍କ ଠାରୁ ନେଇ ସାଂସଦଙ୍କ ପର୍ଯ୍ୟନ୍ତ ସମସ୍ତେ ବିଜେପିର ହିଁ ଥିଲେ । ହେଲେ ଏବେ ବିଜେଡ଼ି ଗଡ଼ରେ ବିଜେପି ପତିଆରା ଜାହିର କରିବାରେ ଲାଗିଛି । ବିଜେଡ଼ିର କେତେକ ନେତାଙ୍କ ମାମଲତି ପାଇଁ ଆଉ ଦଳରେ ରହିବାକୁ ଅନ୍ୟ ନେତାମାନେ ଚାହୁଁନାହାନ୍ତି । ଅନୁଭବ ମହାନ୍ତି ବିଜେଡ଼ିର କେନ୍ଦ୍ରାପଡ଼ା ସାଂସଦ ଥିଲେ । କିନ୍ତୁ ପାରିବାରିକ ବିବାଦ କାରଣରୁ ଦଳ ତାଙ୍କୁ କୋଣଠେସା କରିଦେଲା । ତେଣୁ ସେ ବି ବିଜେପି ପଳାଇଲେ । ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ହେଉଛନ୍ତି ଅଭିନେତା ଅରିନ୍ଦମ ରାୟ । ଅରିନ୍ଦମଙ୍କୁ ଦଳ ଟିକେଟ କି ନିଗମ ବି ଦେଲାନାହିଁ । ତେଣୁ ସେ ବି ବିଜେପି ଯାଇ ସାଲେପୁର ଟିକେଟ ପାଇଥିଲେ । ଭର୍ତ୍ତୃହରି ମହତାବ ଜଣେ ଭଲ ସାଂସଦ ଭାବେ ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି । କିନ୍ତୁ ଦଳର କିଛି ନେତାଙ୍କ ବ୍ୟବହାରରେ ସେ ଅତିଷ୍ଠ ହୋଇଗଲେ । ଶଙ୍ଖ ଛାଡ଼ି ଫୁଲ ଯାଇ ପୁଣିଥରେ ସାଂସଦ ହେବାର ସୌଭାଗ୍ୟ ପାଇଛନ୍ତି ।
ଏହି ତାଲିକା ଏତିକିରେ ସରିବ ନାହିଁ । ସାଂସଦ ଦେବାଶିଷ ସାମନ୍ତରାୟଙ୍କ ସହ ମେୟର ସୁବାସ ସିଂଙ୍କର ଭଲ ସମ୍ପର୍କ ନାହିଁ । ସେପଟେ ସୌଭିକ ବିଶ୍ୱାଳ ମଧ୍ୟ ନାଁ ନନେଇ ବିଜେଡ଼ି ନେତାଙ୍କୁ ଟାର୍ଗେଟ୍ କରିଛନ୍ତି । ତାଙ୍କୁ ହରାଇବା ପାଇଁ ଦଳ ଭିତରେ ହିଁ ଷଡ଼ଯନ୍ତ୍ର କରାଯାଇଥିଲା । ବୋଧହୁଏ ପ୍ରଥମ ଥର ପାଇଁ ସୌଭିକ ଏଭଳି ମନ୍ତବ୍ୟ ଦେଇ ଚର୍ଚ୍ଚା ସୃଷ୍ଟି କରିଛନ୍ତି । ଯଦି ବିଜେଡ଼ିରେ ତାଙ୍କୁ ଠିକରେ ସମ୍ମାନ ନମିଳେ ତେବେ ସେ ବିଜେପି ମୁହାଁ ହେବେ ବୋଲି ଚର୍ଚ୍ଚା ହେଉଛି ।
ଗତ ନିର୍ବାଚନରେ ପାଣ୍ଡିଆନ୍ ନିଜ ମନମାନିରେ ଟିକେଟ ବାଣ୍ଟିଥିଲେ । କଟକରେ ସଂତୃପ୍ତ ମିଶ୍ରଙ୍କୁ ଓ ପୁରୀରେ ଅରୂପ ପଟ୍ଟନାୟକଙ୍କୁ ଏମପି ଟିକେଟ ଦେଇଥିଲେ । ଯେତେବେଳେକି ଉଭୟଙ୍କର ସଂଗଠନ ହିଁ ନଥିଲା । ଭୁବନେଶ୍ୱରରେ ବି ମନଇଚ୍ଛା ସୁରଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ଟିକେଟ ଦେଇଥିଲେ । କର୍ମୀଙ୍କ ବିରୋଧ ସତ୍ତେ୍ୱ ଲେଖାଶ୍ରୀ ସାମନ୍ତସିଂହରାୟଙ୍କୁ ବାଲେଶ୍ୱର ଓ ଭ୍ରୁଗୁ ବକ୍ସିପାତ୍ରଙ୍କୁ ବ୍ରହ୍ମପୁର ଏମପି ଟିକେଟ ଦିଆଯାଇଥିଲା । ଏଭଳି ତାଲିକା ଦେଖିଲେ ବେଶ୍ ଲମ୍ବା ହେବ । ଏବେ ବିଜେଡ଼ି ହାରି ଯାଇଥିବାରୁ ଆଗକୁ ଅନେକ ବଡ଼ ନେତା ବାଧ୍ୟରେ ବିଜେଡ଼ି ଛାଡ଼ି ବିଜେପି ହେବେବୋଲି କୁହାଯାଉଛି ।