ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି : ୮୫% ସମାଧାନ

‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ୧୧ତମ ପାଳି । ଲୋକଙ୍କ ସରକାର ଲୋକଙ୍କ ସହିତ ଅଛନ୍ତି । ତାଙ୍କ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି । ଆଜି ଭୁବନେଶ୍ୱର ୟୁନିଟ-୨ ଠାରେ ନୂଆ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା ସହିତ ଏହାର ସମାଧାନ ଓ ପ୍ରତିକାର ପାଇଁ ତତ୍କାଳ ପଦକ୍ଷେପ ନେଇଛନ୍ତି ।
୧ ହଜାର ଅଭିଯୋଗକାରୀ ଅନ୍ଲାଇନ ମାଧ୍ୟମରେ ନାମ ପଞ୍ଜିକୃତ କରିଥିଲେ । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ୬ ବରିଷ୍ଠ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସଚିବସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣି ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ମନ୍ତ୍ରୀ ଓ ସଚିବମାନଙ୍କୁ ନିଦେ୍ର୍ଦଶ ଦେଉଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭେଟି, ଆପତ୍ତି ଅଭିଯୋଗ ଶୁଣାଇ ଆତ୍ମସନ୍ତୋଷର ସହ ଲୋକମାନେ ଫେରୁଥାନ୍ତି । ସବୁଥର ପରି ଆଜି ମୁଖ୍ୟମନ୍ତ୍ରୀ ପ୍ରଥମେ ସକାଳେ ଆସି ବାହାରେ ଅପେକ୍ଷା କରିଥିବା ଭିନ୍ନକ୍ଷମ ଓ ଦୂରାରୋଗ୍ୟରେ ପୀଡିତ ଲୋକମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଥିଲେ । ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମରେ ଅସାଧ୍ୟ ଓ ଦୂରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତୁରନ୍ତ ଚିକିସôା ସହାୟତା ଯୋଗାଇ ଦିଆଯାଇଛି । ନୟାଗଡର ସନ୍ତୋଷ ବିଶ୍ୱାଳଙ୍କୁ ୫୦ ହଜାର ଟଙ୍କା, ଯାଜପୁରର ବିଷ୍ଣୁଚରଣ ସାହୁ, ଭଦ୍ରକର ଲକ୍ଷ୍ମୀଧର ସେଠୀ, କଟକର ସାତ୍ତ୍ୱିକ କରଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ମିଳିଛି । ଅପରପକ୍ଷରେ କେନ୍ଦୁଝରର ନବୀନ କୁମାର ସେଠୀଙ୍କୁ ୨ ଲକ୍ଷ ଟଙ୍କା, ମୟୁରଭଞ୍ଜର ସୁନିତା ଚୌଧୁରୀଙ୍କୁ ୧ ଲକ୍ଷ ଟଙ୍କା, କଟକର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ୫୦ ହଜାର ଟଙ୍କା, ବୌଦ୍ଧର ନୀଳକଣ୍ଠ ପ୍ରଧାନ ଓ ଯଦୁମଣୀ କର୍ମୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ, ଗଞ୍ଜାମର ଛାୟା ନାୟକ, ଭଦ୍ରକର ବୁଦ୍ଧିଆ ମଣ୍ଡଳ, ନବରଙ୍ଗପୁରର କମଳା ନାୟକ, ଖୋର୍ଦ୍ଧାର କୈଳାସ ପଲେଇଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଓ କଟକର ସୁରେଶ କୁମାର ଜେନାଙ୍କୁ ଅନୁକମ୍ପାମୂଳକ ସହାୟତା ବାବଦକୁ ୫୦ ହଜାର ଟଙ୍କା, ଏହିପରି ୧୪ ଜଣଙ୍କୁ ସମୁଦାୟ ୧୩ ଲକ୍ଷ ୫୦ ହଜାର ଟଙ୍କାର ସହାୟତା ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ । ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଉପରେ ଲୋକଙ୍କ ଆସ୍ଥା ବଢିଛି । ସେମାନେ ବିଭିନ୍ନ ସମସ୍ୟା ନେଇ ଆମ ପାଖକୁ ଆସୁଛନ୍ତି । ଲୋକଙ୍କୁ ନିରନ୍ତର ନ୍ୟାୟ ପ୍ରଦାନ କରିବା ପାଇଁ ଆମେ ଏହି କାର୍ଯ୍ୟକ୍ରମ ଜାରିରଖିଛୁ । ଆମ ସରକାର ନିରନ୍ତର ଭାବେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଏବଂ ତାହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ମାଧ୍ୟମରେ ଗରିବ ଓ ଅସହାୟଙ୍କୁ ସହାୟତା ପ୍ରଦାନ କରାଯାଉଛି । ଆଗାମୀ ଦିନରେ ଆଞ୍ଚଳିକ ସ୍ତରରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଦଶମ ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ୧୦,୨୩୪ଟି ଅଭିଯୋଗ ମଧ୍ୟରୁ ୮,୭୧୩ଟି ଅଭିଯୋଗର ସମାଧାନ କରାଯାଇଛି । ଯାହା ଶତକଡ଼ା ୮୫% । ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଏବଂ ଅନ୍ୟ ବିଭାଗଗୁଡ଼ିକର ସଚିବସ୍ତରୀୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟ ପରିଚାଳନା କରିଥିଲେ ।