ବିଜେଡ଼ି ନେତାଙ୍କ ଅହଙ୍କାର ଏମିତି...

Biju Janata Dal, Naveen Patnaik

ବିଜେଡ଼ି ନେତାଙ୍କ ଅହଙ୍କାର ଏମିତି...

ଦଳ ଗଢ଼ିଥିବା ନେତାଙ୍କୁ କହୁଛନ୍ତି ପଳାଅ
ଅମର-ଲେନିନ ମୁହାଁମୁହିଁ
ଭୁବନେଶ୍ୱର : ଯଦି ଦଳରେ ରହିବାକୁ ଅଣନିଃଶ୍ୱାସୀ ଲାଗୁଛି, ତେବେ ଦଳ ଛାଡ଼ି ପଳାଅ  । ୬ ଥରିଆ ବିଧାୟକ ଅମର ପ୍ରସାଦ ଶତପଥିଙ୍କ ପ୍ରତି ଏଭଳି ମନ୍ତବ୍ୟ ଦେଇଛନ୍ତି ମୁଖପାତ୍ର ଲେନିନ ମହାନ୍ତି  । ଦଳର ପ୍ରତିଷ୍ଠାତା ସଦସ୍ୟ ଥିବା ଅମରଙ୍କ ପ୍ରତି ଲେନିନଙ୍କ ଏଭଳି ମନ୍ତବ୍ୟ ନିଶ୍ଚିତ ଭାବେ ଅହଙ୍କାରର ପ୍ରତିଫଳନ  ।
ଅମର କ’ଣ ଭୁଲ୍‌ କହିଥିଲେଯେ, ଲେନିନ ଏଭଳି ମନ୍ତବ୍ୟ ଦେବାର ସାହାସ କଲେ  । ଅମର କହିଲେ ଦଳରେ ତାଙ୍କୁ ଅଣନିଃଶ୍ୱାସୀ ଲାଗୁଛି  । ଅମରଙ୍କ ସ୍ଥାନରେ ଆଉ ଯିଏ ରହିଥା’ନ୍ତେ ତାଙ୍କୁ ବି ସେଭଳି ଲାଗିଥା’ନ୍ତା  । ଗତ ଚବିଶ ନିର୍ବାଚନରେ ଅମରଙ୍କୁ ଟିକେଟ ମିଳିଲାନି ? ହଁ ଯଦି ଅମରଙ୍କ ଠାରୁ ଆଉ କେହି ଭଲ ପ୍ରାର୍ଥୀ ଥାଆନ୍ତେ ତେବେ ବଡ଼ଚଣା ରାଜନୀତି ସହ ଜଡ଼ିତ ଅନ୍ୟ କୌଣସି ବିଜେଡ଼ି ନେତାଙ୍କୁ ଟିକେଟ ଦିଆଯାଇପାରିଥା’ନ୍ତା  । ହେଲେ ସେଭଳି ନକରି ବର୍ଷା ପ୍ରିୟଦର୍ଶିନୀଙ୍କ ଭଳି ଜଣେ ସିନେ ଅଭିନେତ୍ରୀଙ୍କୁ ଟିକେଟ ଦିଆଗଲା  । ସେଥିରେ କେଉଁ ନେତା ଅବା ଖୁସି ହୋଇଥା’ନ୍ତେ ? 
ଦଳର ପୂର୍ବତନ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ କହିଲେ, ଯାଜପୁରରେ ବିଜେଡ଼ି କହିଲେ ବବି, ଜିତୁ ଓ ଡାନି  । ଯେତେବେଳେକି ଏହି ତିନି ନେତାଙ୍କ ବାପାଙ୍କ ଅମଳରୁ ଅମର ମଧ୍ୟ ବିଜେଡ଼ି ରାଜନୀତିରେ ପତିଆରା ବିସ୍ତାର କରିଥିଲେ  । ୨୦୦୦ ମସିହାରେ ଅମର ମନ୍ତ୍ରୀ ହୋଇଥିବାବେଳେ ବବି, ଜିତୁ ଓ ଡାନି ବିଜେଡ଼ିର ମଙ୍ଗ ଧରିବା କଥା ଦୂରେ ଥାଉ, ରାଜନୀତିର ଖଡ଼ି ବି ଛୁଇଁନଥିଲେ  । ଏଭଳି କଥା ଅମରଙ୍କୁ ଆଘାତ ଦେବ ନା ନାହିଁ ?
ଦଳ ପାୱାରରେ ଥିବାବେଳେ କିଛି ଯୁବନେତା ଈନ୍ଦ୍ରଚନ୍ଦ୍ର ମାନିଲେନି  । ବିଜେଡ଼ି ଟିକେଟ ପାଇଁ ତାଙ୍କୁ ବର୍ଷ ବର୍ଷ ଧରି ସଂଗ୍ରାମ କରିବାକୁ ପଡ଼ିଛି  । ବାରବାର ଦଳ ବଦଳାଇବାକୁ ବି ବାଧ୍ୟ ହୋଇଛନ୍ତି  । ନିର୍ବାଚନ ଆସିଲେ ବଡ଼ଚଣାରେ ଅମର ହାରିଯିବେ ବୋଲି ଚର୍ଚ୍ଚା ହୁଏ ହେଲେ ଭାଗ୍ୟଦେବୀଙ୍କ ସାଥ୍‌ ହେଉ ଅବା ସାଂଗଠନିକ ଶକ୍ତି ହେଉ ସେ କିନ୍ତୁ ଜିତିବାର ନଜିର ରହିଛି  । ବିଧାନସଭାରେ ଅମର ନିଜର ବାକଚାତୁରୀ ଓ ପାଣ୍ଡିତ୍ୟ ବଳରେ ବିରୋଧୀ ଦଳଙ୍କୁ ଭଲ କାଉଣ୍ଟର ବି କରିଛନ୍ତି  । 
ବବି, ଜିତୁ ଓ ଡାନିଙ୍କ ଭଳି ଅମର ଉତ୍ତରାଧିକାରୀ ସୂତ୍ରରେ ରାଜନୀତିକୁ ଆସିନାହାନ୍ତି  ।  ୧୯୬୯ ମସିହାରେ ସେ ଜେପି ଆନ୍ଦୋଳନରେ ସାମିଲ୍‌ ହୋଇ ରାଜନୀତିକୁ ଆସିଥିଲେ  । ମିସା ଆଇନ୍‌ ବଳରେ ଅଶୋକ ଦାସ ଓ ଯାଜପୁରର ଅନ୍ୟ ନେତାଙ୍କ ଭଳି ସେ ମଧ୍ୟ ଅଟକ ରହିଥିଲେ  । ୧୯୭୩ରେ ଏବିଭିପିର ସାଧାରଣ ସମ୍ପାଦକ ଭାବେ ବି କାର୍ଯ୍ୟ କରିଛନ୍ତି  । ବାଣୀବିହାର କ୍ୟାମ୍ପସରେ ବି ଦବଦବା ଜାହିର କରିଥିଲେ  । ଯୁବ ଜନତା, ଛାତ୍ର ଜନତା ସହ ଦୀର୍ଘ ଦେଢ଼ ଦଶନ୍ଧି ଧରି ରହିବା ପରେ ୧୯୯୦ରେ ସେ ବଡ଼ଚଣାରୁ ବିଧାୟକ ହୋଇଥିଲେ  । ଏଭଳି ଜଣେ ଟାଣୁଆ ନେତାଙ୍କୁ କୋଣଠେସା କରି ରଖିଥିବା ବିଜେଡ଼ି ଏବେ ଦଳ ଛାଡ଼ି ପଳାଅ ବୋଲି କହୁଛି  । ଆଗକୁ ମଧ୍ୟ ଅନ୍ୟ ବରିଷ୍ଠ ନେତାଙ୍କୁ କନିଷ୍ଠ ନେତାମାନେ ଏଭଳି କହିବାର ସାହାସ ରଖିବେ  । ଏହାଦ୍ୱାରା ଦଳ ଆଗକୁ ବଢ଼ିବ ନା ଅଧାରୁ ଛିଣ୍ଡିବ ତାହା ସମୟ ହିଁ କହିବ  । ବରିଷ୍ଠ ନେତାଙ୍କୁ ନମନାଇ ସିଧାସିଧା ଦଳ ଛାଡ଼ିବା କଥା କହି ବିଜେଡ଼ି କି ବାର୍ତ୍ତା ଦେଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି  ।