ମୋଦିଙ୍କ ଦୀପାବଳି ଭେଟି

Narendra Modi

ମୋଦିଙ୍କ ଦୀପାବଳି ଭେଟି

୩ ପ୍ରତିଶତ ବଢିବ ମହଙ୍ଗା ଭତ୍ତା!
।। ଏଜେନ୍ସି ।। ନୂଆଦିଲ୍ଲୀ, ୧୪ା୧୦ 

କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କୁ ଦୀପାବଳି ପୂର୍ବରୁ ମିଳିବ ବଡ ଭେଟି । କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ଆଉ ୩% ବୃଦ୍ଧି କରିବେ କେନ୍ଦ୍ର ସରକାର । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ପ୍ରାଥମିକ ଭାବେ ମହଙ୍ଗା ଭତ୍ତା ବୃଦ୍ଧି ସମ୍ପର୍କରେ କେନ୍ଦ୍ର ସରକାର ଅକ୍ଟୋବର ୯ରେ ଘୋଷଣା କରିବେ ବୋଲି ଆଶା କରାଯାଉଥିଲା । କାରଣ ସେହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା । ହେଲେ ଅକ୍ଟୋବର ୯ରେ ସେମିତି କିଛି ବି ହୋଇ ନଥିଲା ।
ଏବେ କିନ୍ତୁ ଖବର ମିଳିଛି ଯେ ଅକ୍ଟୋବର ୩୧ ଦୀପାବଳି ଉତ୍ସବର ଠିକ ପୂର୍ବରୁ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩% ବୃଦ୍ଧି ନେଇ ଘୋଷଣା କରିବେ । ଦୀପାବଳି ପୂର୍ବରୁ କେନ୍ଦ୍ର କ୍ୟାବିନେଟ ବୈଠକ ବସିବ । ଏହି ସମୟରେ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ନିଷ୍ପତ୍ତି ନିଆଯିବ । ସର୍ବଭାରତୀୟ ଗ୍ରାହକ ଦର ସୂଚକାଙ୍କ ଜରିଆରେ ମହଙ୍ଗା ଭତ୍ତାର ହିସାବ କରାଯାଏ । ସର୍ବଭାରତୀୟ ଗ୍ରାହକ ଦର ସୂଚକାଙ୍କ ଖୁଚରା ବଜାରର ମୂଲ୍ୟକୁ ଟ୍ରାକ କରିଥାଏ । ମହଙ୍ଗା ଭତ୍ତା ବର୍ଷକୁ ଦୁଇ ଥର ସଂଶୋଧିତ କରାଯାଇଥାଏ । କର୍ମଚାରୀଙ୍କୁ ସେମାନଙ୍କ ଜୀବନ ଧାରଣ କ୍ଷମତାରେ ଆର୍ଥିକ ସହାୟତା ପାଇଁ ମହଙ୍ଗା ଭତ୍ତାର ବ୍ୟବସ୍ଥା ସରକାର କରିଛନ୍ତି । କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କେବଳ ସେମାନଙ୍କ ଟେକ ହୋମ ଦରମା ପରିମାଣକୁ ବୃଦ୍ଧି କରିବ ନାହିଁ ବରଂ ଅନ୍ୟ ଭତ୍ତାରେ ମଧ୍ୟ ବୃଦ୍ଧି ଆଣିବ । ସେମାନଙ୍କ ଆର୍ଥିକ ସ୍ଥିତିକୁ ମଧ୍ୟ ଏହା ମଜଭୁତ କରିବ । କେନ୍ଦ୍ରୀୟ କର୍ମଚାରୀ ଓ ଶ୍ରମିକ ମହାସଂଘ ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମହଙ୍ଗା ଭତ୍ତା ସମ୍ପର୍କରେ ତୁରନ୍ତ ଘୋଷଣା କରିବାକୁ କହିଥିଲେ । ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ୫୦% ମହଙ୍ଗା ଭତ୍ତା ପାଉଛନ୍ତି । ଦୀପାବଳି ପୂର୍ବରୁ ଯଦି ମହଙ୍ଗା ଭତ୍ତା ଆଉ ୩% ବଢିିବ, ତା’ହେଲେ ଏହା ୫୩%ରେ ପହଞ୍ଚିବ ।