ଙ୍କେଟ ହଲରେ ଭୟଙ୍କର ଅଗ୍ନିକାଣ୍ଡ : ଇଲେକ୍ଟ୍ରିସିଆନଙ୍କ ମୃତ୍ୟୁ

ମଙ୍ଗଳବାର ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶ ନୋଏଡାର ସେକ୍ଟର ୭୪ସ୍ଥିତ ଏକ ବଙ୍କେଟ ହଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା କାର୍ଯ୍ୟ ଆରମ୍ଭ କରିଥିଲା। ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନାହିଁ। ତେବେ ଏହି ଘଟଣାରେ ଜଣେ ଇଲେକ୍ଟ୍ରିସିଆନଙ୍କର ମୃତ୍ୟୁ ଘଟିଛି।   ଖବର ଅନୁସାରେ, ନୋଏଡାର ସେକ୍ଟର -୧୧୩ ଥାନା ଅନ୍ତର୍ଗତ ସେକ୍ଟର -୭୪ରେ ନିର୍ମାଣାଧୀନ ଲୋଟସ୍ ଗ୍ରେନାଡିୟର୍ ବଙ୍କେଟ ହଲରେ ନିଆଁ ଲାଗିଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗର ୧୫ଟି ଗାଡି ଗୋଟିଏ ପରେ ଗୋଟିଏ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିକାଣ୍ଡ ଏତେ ବ୍ୟାପକ ଥିଲା ଯେ ଏହାକୁ ଆୟତ୍ତ କରିବାକୁ ବହୁତ ସମୟ ଲାଗିଥିଲା। ଏହି ଘଟଣାରେ ମୃତ ବ୍ୟକ୍ତି ଜଣକ ସେଠାରେ ଇଲେକ୍ଟ୍ରିସିଆନ ଭାବରେ କାମ କରୁଥିବା ପରମିନ୍ଦର ବୋଲି ଜଣାପଡିଛି। ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଘଟଣାସ୍ଥଳରେ ନୋଏଡା ଡିସିପି, ଗୌତମବୁଦ୍ଧ ନଗର ସିଏଫଓ ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ପହଞ୍ଚିଥିଲେ। ବର୍ତ୍ତମାନ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ନୋଏଡା ଡିସିପି ରାମବଦନ ସିଂ କହିଛନ୍ତି ଯେ ବଙ୍କେଟ ହଲର ଡିଜାଇନ କାଠରେ ତିଆରି ହୋଇଥିଲା, ଯେଉଁଥିପାଇଁ ନିଆଁ ଶୀଘ୍ର ବ୍ୟାପି ଯାଇଥିଲା। ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏଥି ସହିତ ସିଲିଣ୍ଡରରେ ନିଆଁ ଲାଗିଯିବାରୁ ଏହା ବେଶୀ ବ୍ୟାପକ ହୋଇଯାଇଥିବା ମଧ୍ୟ କୁହାଯାଉଛି। ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଏହି ଘଟଣାର ତଦନ୍ତ କରାଯାଉଛି। ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ଡିସିପି ସୂଚନା ଦେଇଛନ୍ତି।