୩,୩୫୩ କୋଟିର ପ୍ରକଳ୍ପକୁ ଅନୁମୋଦନ

Mohan Charan Majhi

୩,୩୫୩ କୋଟିର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର : ରାଜ୍ୟ ସରକାର  ୩୩୫୩ କୋଟି ଟଙ୍କାର ୧୫ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି  । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟ ବୈଠକରେ ଏହି ଅନୁମୋଦନ ଦିଆଯାଇଛି  । ଏହାଦ୍ୱାରା ୪୬୩୭ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି  ।

ଆଜି ଅନୁମୋଦନ ଲାଭ କରିଥିବା ସମସ୍ତ ପ୍ରକଳ୍ପ କୋରାପୁଟ, ଖୋର୍ଦ୍ଧା, ବରଗଡ଼, ପୁରୀ, କଟକ ଓ ଝାରସୁଗୁଡ଼ା ସମେତ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ ହେବ  । ରାସାୟନିକ ତଥା ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ରିଲାଏନ୍ସ ବାୟୋ ଏନର୍ଜି ଲିମିଟେଡ୍‌ ପୁରୀରେ କମ୍‌ପ୍ରେସ୍ଡ ବାୟୋ ଗ୍ୟାସ୍‌ ଓ ଫର୍ମେଣ୍ଟେଡ୍‌ ଜୈବିକ ସାର କାରଖାନା ସ୍ଥାପନ କରିବ  । ଏଥିରେ ୧୨୧ କୋଟି ୨୧ ଲକ୍ଷ ଟଙ୍କା ନିବେଶ ହେବ  ।    ଇସ୍ପାତ କ୍ଷେତ୍ରରେ କଟକରେ ‘ବିକେ ଷ୍ଟିଲ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌’ ଏହାର ପ୍ରକଳ୍ପକୁ  ଅଧିକ ସମ୍ପ୍ରସାରଣ ପାଇଁ ୭୫୦ କୋଟି ଟଙ୍କା ବିନିଯୋଗ କରିବ  । ଏହି ପ୍ରକଳ୍ପ ଦ୍ୱାରା ୮ ଶହ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ  ।

ଏଚଏମ୍‌ ପାୱାର ଆଣ୍ଡ  କେବଲ୍ସ ଝାରସୁଗୁଡ଼ାରେ ଏକ ଆଲୁମିନିୟମ କଣ୍ଡକ୍ଟର, ପାୱାର କେବୁଲ୍‌ ଏବଂ ତାର ଉତ୍ପାଦନ କାରଖାନା ପ୍ରତିଷ୍ଠା କରୁଥିବାରୁ ଡାଉନଷ୍ଟ୍ରିମ୍‌ ଆଲୁମିନିୟମ କ୍ଷେତ୍ରକୁ ମଧ୍ୟ ପ୍ରୋତ୍ସାହନ ମିଳିଛି  । ୫୫.୭୨ କୋଟି ଟଙ୍କାର ଏହି ପ୍ରକଳ୍ପରେ ୨୦୫ ଜଣ ନିଯୁକ୍ତି ପାଇବେ  । ଖୋର୍ଦ୍ଧାରେ ନେକ୍ସଟ୍‌ ଥର୍ମାଲ ଏସିଆ ୫୫.୮୧ କୋଟି ଟଙ୍କା ବିନିଯୋଗରେ ୧୩୨ ନିଯୁକ୍ତି ସୁଯୋଗ ସୃଷ୍ଟି କରି  ଏକ ହିଟିଂ ଏଲିମେଣ୍ଟସ୍‌ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବ  ।

ଭୁବନେଶ୍ୱରୀ ଫୁଡ୍ସ ଆଣ୍ଡ ବିଭରେଜ୍‌, ‘ଅବନ’ ବିଭରେଜ୍‌, ଜିଓ ଫାଷ୍ଟ କଞ୍ଜ୍ୟୁମର ପ୍ରଡକ୍ଟସ୍‌ ଏବଂ ଆଭିରାର ପ୍ରକଳ୍ପ ସହ ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜିନିବେଶ ଆତ୍କୃଷ୍ଟ ହେବାରେ ଲାଗିଛି  । ଖୋର୍ଦ୍ଧା, ବରଗଡ଼ ଓ କଟକରେ ଥିବା ଏହି ପ୍ରକଳ୍ପଗୁଡ଼ିକରେ ପ୍ରାୟ ୧୫୪୨ କୋଟି ଟଙ୍କା ପୁଞ୍ଜିନିବେଶରେ ୧୩୫୮ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ  ।

ଓଡ଼ିଶା ଟେକ୍ସଟାଇଲ୍‌ ମ୍ୟାନୁଫାକ୍‌ଚରିଂ ପକ୍ଷରୁ ଖୋର୍ଦ୍ଧାରେ ଟେକ୍ସଟାଇଲ ବର୍ଜ୍ୟବସ୍ତୁରୁ ପୁନଃ ବ୍ୟବହାରକ୍ଷମ ସୂତା ଉତ୍ପାଦନ ପାଇଁ ଏକ କାରଖାନା ସ୍ଥାପନ କରାଯାଉଛି  । ୫୧.୮୦ କୋଟି ଟଙ୍କା ନିବେଶରେ ହେବାକୁ ଥିବା ଏହି କମ୍ପାନୀରେ ୫୩୫ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ  । ପର୍ଯ୍ୟଟନ କ୍ଷେତ୍ରରେ ଆଇଟିସି ୧୧୯ କୋଟି ଟଙ୍କା ବିନିଯୋଗରେ ଭୁବନେଶ୍ୱରରେ ନିଜର ପଞ୍ଚ ତାରକା ହୋଟେଲ୍‌ ‘ୱେଲ୍‌ କମ୍‌ ହୋଟେଲ୍‌'ର ସମ୍ପ୍ରସାରଣ କରିବ  । ଏସଜେ ଜେଆରଜି ଭେଞ୍ଚର୍ସ ଏଲଏଲପି ଏବଂ କ୍ରାକର୍ସ ଇଣ୍ଡିଆ ଇନଫ୍ରାଷ୍ଟ୍ରକଚର୍ସ ଦ୍ୱାରା ପୁରୀ ଏବଂ କୋରାପୁଟରେ ୧୫୪ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ  ।

ଫାର୍ମାସ୍ୟୁଟିକାଲ୍ସରେ ଇନଫୁନେକ୍ସ ହେଲଥକେୟାର ପକ୍ଷରୁ ୫୯.୪୩ କୋଟି ଟଙ୍କା ନିବେଶରେ କଟକରେ ଇଣ୍ଟ୍ରାଭେନସ ଫ୍ଲୁଇଡ୍‌ ଉତ୍ପାଦନ ପାଇଁ ଦ୍ୱିତୀୟ ୟୁନିଟ୍‌ ସ୍ଥାପନ କରିବ  । ଅଲ୍ଟ୍ରା ଟେକ୍‌ ସିମେଣ୍ଟର ପ୍ରକଳ୍ପକୁ ଅନୁମୋଦନ ମିଳିବା ପରେ ଓଡ଼ିଶାର ସିମେଣ୍ଟ ଉତ୍ପାଦନ କ୍ଷମତା ବୃଦ୍ଧି ପାଇ କଟକରେ ଏହାର ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍‌ କ୍ଷମତା ୩ ଏମଟିପିଏରୁ ୬ ଏମଟିପିଏକୁ ବୃଦ୍ଧି ପାଇବ  । ୩୭୨ କୋଟି ଟଙ୍କାର ଏହି ସମ୍ପ୍ରସାରଣ ପ୍ରକଳ୍ପ ୫୮୧ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି  ।