ବସଷ୍ଟାଣ୍ଡରୁ ଯାତ୍ରୀଙ୍କ ମୋବାଇଲ ଲୁଟ୍; ଲୁଟେରା ଗିରଫ
ଭୁବନେଶ୍ୱର, ୮ ।୧୧ : ବରମୁଣ୍ଡା ବସଷ୍ଟାଣ୍ଡରୁ ଯାତ୍ରୀଙ୍କୁ ଆକ୍ରମଣ କରି ମୋବାଇଲ ଲୁଟ୍ କରୁଥିବା ଜଣେ କୁଖ୍ୟାତ ଲୁଟେରାକୁ ଗିରଫ କରିଛି ଭରତପୁର ଥାନା ପୁଲିସ । ତାଠାରୁ ତଲାସି ବେଳେ ୪ଟି ଚୋରା ମୋବାଇଲ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ନୟାଗଡ଼ ଜିଲ୍ଲା ବାଣୀଗୋଚ୍ଛାର କୃଷ୍ଠଚନ୍ଦ୍ର ମଲ୍ଲିକ । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଯୋଗ୍ୟଯେ, ଗତ ମାସ ୨୬ ତାରିଖ ରାତି ପ୍ରାୟ ୧୧.୩୦ ସମୟରେ ଅଭିଯୋଗକାରୀ ବରମୁଣ୍ଡା ବସଷ୍ଟାଣ୍ଡ ସ୍ଥିତ ନୂତନ ବସ ଟର୍ମିନାଲ ନିକଟରେ ବସ ଅପେକ୍ଷାରେ ବସିଥିଲେ । ସେହି ସମୟରେ ଅଭିଯୁକ୍ତ ଜଣକ ସେଠାକୁ ଆସିଥିଲେ ଓ ଅଭିଯୋଗକାରୀ ସଞ୍ଜୟ ପ୍ରଧାନଙ୍କୁ ଏକ ଶକ୍ତ ଧକ୍କା ଦେଇ ତାଙ୍କ ହାତରୁ ମୋବାଇଲ ଫୋନ୍ ଝାମ୍ପିନେଇ ଫେରାର ହୋଇଯାଇଥିଲା । ଏହି ସମୟରେ ଅଭିଯୁକ୍ତକୁ ଗୋଡାଇ କାବୁ କରିବାକୁ ଅଭିଯୋଗକାରୀ ଚେଷ୍ଟା କରିଥିଲେ ମଧ୍ୟ ଅଭିଯୁକ୍ତ ଅନ୍ଧାରର ସୁଯୋଗ ନେଇ ଖସି ପଳାଇବାରେ ସକ୍ଷମ ହୋଇଥିଲା । ଏନେଇ ଅଭିଯୋଗକାରୀ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତ ଜଣକ ଚୋରା ମୋବାଇଲ ଗୁଡ଼ିକୁ ବିକ୍ରି କରିବାକୁ ବରମୁଣ୍ଡା ଅଞ୍ଚଳରେ ଗ୍ରାହକ ଅପେକ୍ଷାରେ ଥିବା ସମୟରେ ମାଡି ବସିଲା ଭରତପୁର ଥାନା ଟିମ । ପରେ ତାର ତଲାସି ବେଳେ ତାଠାରୁ ୪ଟି ଚୋରା ମୋବାଇଲ ଫୋନ୍ ଜବତ କରାଯାଇଛି ।