ନେତାଙ୍କୁ ମୋହନ ଦେବେ ଦଶହରା ଭେଟି
Mohan Charan Majhi

ବିଜେପି ବିଧାୟକ ଓ ନେତାମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦଶହରା ଭେଟି ଦେବେ । ଏବେ ମନ୍ତ୍ରୀମଣ୍ଡଳରେ ୧୬ ଜଣ ମନ୍ତ୍ରୀ ଅଛନ୍ତି । ଅନେକ ମନ୍ତ୍ରୀଙ୍କ ପାଖରେ ବହୁତ ବିଭାଗ ବି ରହିଛି । ନିୟମ ଅନୁସାରେ ମୋହନ ସରକାରରେ ୨୨ ମନ୍ତ୍ରୀ ରହିବା ଦରକାର । ତେଣୁ ଆଉ ୬ ବିଧାୟକଙ୍କୁ ଖୁବଶୀଘ୍ର ମନ୍ତ୍ରୀମଣ୍ଡଳରେ ସାମିଲ୍ କରାଯିବ । ଏନେଇ ଉଚ୍ଚସ୍ତରୀୟ ଆଲୋଚନା ଆରମ୍ଭ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ବାବୁ ସିଂ କିମ୍ବା ପ୍ରଶାନ୍ତ ଜଗଦ୍ଦେବଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ୍ କରାଯାଇପାରେ । ସିନେ ତାରକା ସିଦ୍ଧାନ୍ତ ମହାପାତ୍ର ଓ ଆକାଶ ଦାସ ନାୟକ ମଧ୍ୟ ମନ୍ତ୍ରୀ ରେସ୍ରେ ରହିଛନ୍ତି । ନବୀନ ପଟ୍ଟନାୟକଙ୍କୁ ହରାଇଥିବା ଲକ୍ଷ୍ମଣ ବାଗଙ୍କୁ ନେଇ ବି ଚର୍ଚ୍ଚା ହେଉଛି । ସେହିପରି ଟାଣୁଆ ଯୁବ ବିଧାୟକ ଟଙ୍କଧର ତ୍ରିପାଠୀ ଓ ଇରାଶିଷ ଆଚାର୍ୟ୍ୟ ବି ଲବି ଆରମ୍ଭ କରିଦେଇଛନ୍ତି । ଜୟ ନାରାୟଣ ମିଶ୍ରଙ୍କୁ ମନ୍ତ୍ରୀ ପଦ ମିଳିନଥିବାରୁ ସେ ଅସନ୍ତୁଷ୍ଟ ଅଛନ୍ତି । ତାଙ୍କର କୋର୍ଟ ମାମଲା ହାଲକା ହୋଇଯାଇଥିବାରୁ ଜୟ ନାରାୟଣଙ୍କୁ ବି ଦଳ ସନ୍ତୁଷ୍ଟ କରିବ । ଏହାଛଡ଼ା ସନାତନ ବିଜୁଳି ବି ଦୌଡ଼ରେ ଥିବା କୁହାଯାଉଛି ।
ସେହିପରି ଢେ଼ର ଦିନ ହେଲା ବିଜେପି ନେତାମାନେ ନିଗମ ମୁଆଁ ପାଇବାକୁ ପାଟି ପାକୁପାକୁ କରୁଛନ୍ତି । ମୁଆଁଙ୍କୁ ଅନେଇ ଅନେଇ ଦି ମାସ ପଳେଇଗଲାଣି । ହେଲେ ଖୁବଶୀଘ୍ର ସେମାନଙ୍କ ଆଶା ପୂରଣ ହେବବୋଲି ଜାଣିବାକୁ ମିଳିଛି । ନେତାମାନଙ୍କୁ ନିଗମ ମୁଆଁ ବାଣ୍ଟିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ମନମୋହନ ସାମଲ ଆଲୋଚନା କରିଛନ୍ତି । ୨୦୦୯ ପରଠାରୁ ବିଜେପି କ୍ଷମତାର ସ୍ୱାଦ ଚାଖିପାରିନଥିଲା । ଏତେଦିନ ପରେ କ୍ଷମତା ମିଳିଥିବାରୁ ଦଳର ଅନେକ ଆଗଧାଡ଼ିର ନେତା ନିଗମ ଅଧ୍ୟକ୍ଷ ହେବାପାଇଁ ମନ ବଳାଇଛନ୍ତି । ସମୀର ମହାନ୍ତି, ସଜ୍ଜନ ଶର୍ମା, ମନୋଜ ମହାପାତ୍ର, ଅନୀଲ ବିଶ୍ୱାଳ, ଦିଲୀପ ମହାନ୍ତି, ଗୋଲକ ମହାପାତ୍ରଙ୍କୁ ଭଲ ଭଲ ନିଗମ ମିଳିବ ବୋଲି ଚର୍ଚ୍ଚା ହେଉଛି । ସେହିପରି ତେଜେଶ୍ୱର ପରିଡ଼ା, ଉମାକାନ୍ତ ପଟ୍ଟନାୟକ, ଯତୀନ ମହାନ୍ତି, ସୁଦୀପ୍ତ ରାୟ ବି ନିଗମ ଅଧ୍ୟକ୍ଷ ପାଇବେ ବୋଲି ଆଶା ରଖିଛନ୍ତି । ନିଗମ ଓ କମିଶନ ଅଧ୍ୟକ୍ଷ ପଦରେ କେତେକ ମହିଳା ନେତ୍ରୀଙ୍କୁ ମଧ୍ୟ ସୁଯୋଗ ମିଳିବ । ସେହିପରି ଏସସି ଏସଟି ମୋର୍ଚ୍ଚା, କୃଷକ ମୋର୍ଚ୍ଚା ଓ ଅନ୍ୟ ଛାମୁଆ ସଂଗଠନର ନେତାଙ୍କୁ ବି ସୁଯୋଗ ଦିଆଯିବ । ରାଜ୍ୟରେ ଯେଉଁସବୁ ଜିଲ୍ଲାକୁ ମନ୍ତ୍ରୀ ପଦ ମିଳିନାହିଁ ସେଠାକାର ନେତାଙ୍କୁ ବି ସୁଯୋଗ ମିଳିବ ବୋଲି ନିଷ୍ପତ୍ତି ନିଆଯାଇଛି ।