ମୋହନଙ୍କ ଫୋକସରେ ମହିଳା ସୁରକ୍ଷା
Mohan Charan Majhi

ଭୁବନେଶ୍ୱର : ପୂର୍ବ ସରକାରରେ ରାଜ୍ୟରେ ମହିଳା ନିର୍ଯ୍ୟାତନା ବଢ଼ି ବଢ଼ି ଚାଲିଥିଲା । ଅନେକ ଅସହାୟ ମହିଳାଙ୍କୁ ନ୍ୟାୟ ଦେବାରେ ପୂର୍ବ ସରକାର ବିଫଳ ଥିଲେ । ସେହିସବୁ ପ୍ରସଙ୍ଗକୁ ନେଇ ଏକଦା ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ ମୋହନ ଚରଣ ମାଝୀ ନବୀନ ସରକାରଙ୍କୁ ଘେରୁଥିଲେ । ଏବେ ନିଜେ ମୋହନ ମୁଖ୍ୟମନ୍ତ୍ରୀ ହେବା ସହ ଗୃହମନ୍ତ୍ରୀ ଭଳି ଗୁରୁ ଦାୟିତ୍ୱ ବି ନେଇଛନ୍ତି । ତେଣୁ ସେ କ୍ଷମତାକୁ ଆସୁଆସୁ ମହିଳା ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏମିତିକି ରାଜ୍ୟ ପୁଲିସଙ୍କୁ ବି ଚେତାବନୀ ଦେଇଛନ୍ତି ।
ଓଡ଼ିଶାର ଲୋକପ୍ରିୟ ଓ ଲୋକଙ୍କର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତିଯେ, ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀ ମହିଳାମାନଙ୍କ ସୁରକ୍ଷାକୁ ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି । ତାଙ୍କର ଦୃଢ ନେତୃତ୍ୱ ଓ ମାର୍ଗଦର୍ଶନରେ ମହିଳା, ଶିଶୁ ଓ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ବିରୋଧରେ ଘଟୁଥିବା ଅପରାଧର ତୁରନ୍ତ ସମାଧାନ ଏବଂ ତ୍ୱରିତ ବିଚାର ପ୍ରକ୍ରିୟା ମାଧ୍ୟମରେ ଦୋଷୀକୁ କଠୋର ଦଣ୍ଡବିଧାନ କରିବା ଆମ ସରକାର ସର୍ବୋଚ୍ଚ ଅଗ୍ରାଧିକାର ଦେଉଛନ୍ତି ।
ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରି ଅପରାଧରେ ଶିକାର ହେଉଥିବା ପୀଡିତାମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ଅପରାଧୀ ଯେକୌଣସି ପଦ ମର୍ଯ୍ୟାଦାରେ ଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମହିଳାମାନଙ୍କ ବିରୁଦ୍ଧରେ ଘଟୁଥିବା ମାମଲାଗୁଡିକରେ ନିରପେକ୍ଷ ତଦନ୍ତ କରିବା ନିତାନ୍ତ ଆବଶ୍ୟକ ।
ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଗତ ୨୨ ବର୍ଷ ଅର୍ଥାତ ୨୦୨୨ ସୁଦ୍ଧା ମହିଳା ହିଂସା ବିରୋଧରେ ଦଣ୍ଡ ବିଧାନର ହାର ହେଉଛି ପ୍ରାୟ ୯.୭୩ ପ୍ରତିଶତ ଯାହା ଅତ୍ୟନ୍ତ ନୈରାଶ୍ୟଜନକ । ଏହା ଯେ କୌଣସି ମାନଦଣ୍ଡରେ ଗ୍ରହଣୀୟ ନୁହେଁ । ଏହାର କେବଳ ଦୁଇଟି ଅର୍ଥ – ପୋଲିସର ତଦନ୍ତ ଠିକ ଭାବେ ହେଉନାହିଁ କିମ୍ବା ତ୍ୱରିତ ଦଣ୍ଡ ବିଧାନ ପାଇଁ ଆନ୍ତରିକତା ନାହିଁ । କିନ୍ତୁ ଆମ ସରକାର ଏହାକୁ କୌଣସି ପ୍ରକାରେ ବରଦାସ୍ତ କରିବେ ନାହିଁ ।
ପୋଲିସ ମହାନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ କହିଛନ୍ତିଯେ, ମହିଳା ହିଂସା ସମ୍ବନ୍ଧରେ ଜିଲ୍ଲାୱାରୀ ଓ ହିଂସା ପ୍ରକାର-ୱାରୀ ବିସ୍ତୃତ ତଥ୍ୟ ପ୍ରଦାନ କରିବା ସହିତ ପ୍ରତି ଜିଲ୍ଲାରେ ଦଣ୍ଡ ବିଧାନ ତଥା ଦଣ୍ଡ ବିଧାନ ପେଣ୍ଡିଂ ଷ୍ଟାଟସ ଓ ତାହାର କାରଣ ବିଷୟରେ ତଥ୍ୟ ଦେବେ । ଏହାକୁ ସଠିକ ଭାବେ ଅନୁଧ୍ୟାନ କରିସାରିବା ପରେ ଆଇନ ବିଭାଗ ସହିତ ବିଚାର ବିମର୍ଶ କରି ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରାଯିବ ।
ବିଗତ ବର୍ଷଗୁଡିକର ରେକର୍ଡ ଦେଖିଲେ ମୋ ମନକୁ ଗଭୀର ଆଘାତ ଲାଗିଛି । ମହିଳାଙ୍କ ବିରୁଦ୍ଧରେ ଅସଦାଚରଣ ଯାହାକୁ ସାଧାରଣ ଭାବେ ଇଭ ଟିଜିଙ୍ଗ କୁହାଯାଏ ଓଡିଶାରେ ଦୁର୍ଭାଗ୍ୟବଶତଃ ବହୁତ ଅଧିକ । ପୋଲିସ ବିଭାଗ ଏଥିପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ ଏବଂ ନିଶ୍ଚିତ କରିବା ଦରକାର ଆମ ରାଜ୍ୟର ଛାତ୍ରୀ, ଯୁବତୀ ଏବଂ ମହିଳା ଭାବେ ଅବାଧରେ ସ୍ୱଇଚ୍ଛାରେ ବିଚରଣ କରି ପାରିବେ । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଯାହାସବୁ କରିବା ଆବଶ୍ୟକ ତୁରନ୍ତ କରନ୍ତୁ । ଏକ ସଭ୍ୟ ସମାଜରେ ଏ ପ୍ରକାର ଘୃଣ୍ୟ କାର୍ଯ୍ୟର କୌଣସି ସ୍ଥାନ ନାହିଁ ।
ଥାନାକୁ ନ୍ୟାୟ ପାଇଁ ଆସୁଥିବା ଲୋକମାନଙ୍କ ପ୍ରତି ବିଶେଷକରି ମହିଳାଙ୍କ ପ୍ରତି ସୌଜନ୍ୟତା ଓ ଶୃଙ୍ଖଳାର ସହ ଉତ୍ତମ ଆଚରଣ ପ୍ରଦର୍ଶନ କରିବା ତଥା ସେମାନଙ୍କ ଅଭିଯୋଗକୁ ଧୈର୍ଯ୍ୟର ସହ ଶୁଣିବା ଏକାନ୍ତ ଆବଶ୍ୟକ । ସେମାନେ ଦିନବେଳା ଆସନ୍ତୁ, ସନ୍ଧ୍ୟା ଅଥବା ରାତିରେ ଆସନ୍ତୁ । ସେମାନେ ଯେପରି ପୋଲିସ ଠାରୁ ଉତ୍ତମ ବ୍ୟବହାର ପାଇବେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଏତଦବ୍ୟତୀତ, ପ୍ରତି ମାସରେ ଜିଲାୱାରୀ ହେଉଥିବା ଅପରାଧ ସମୀକ୍ଷା ସଭାରେ ପୋଲିସ କର୍ମଚାରୀଙ୍କୁ ଏ ସମ୍ପର୍କରେ ସଚେତନ କରାଯିବା ଉଚିତ । ଜନସଚେତନତା ସୃଷ୍ଟି କରିବା ସହ ପୁଲିସ ଜନସାଧାରଣଙ୍କ ବନ୍ଧୁ ବୋଲି ଲୋକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବା ଆବଶ୍ୟକତା ରହିଛି ।
ରାଜ୍ୟର ବିଭିନ୍ନ ଥାନାଗୁଡିକରେ ଥିବା ମହିଳା ଓ ଶିଶୁ ଡେସ୍କ କୁ ଅଧିକ କ୍ରିୟାଶୀଳ କରିବାର ଆବଶ୍ୟକତା ଅଛି, ଫଳରେ ମହିଳା ଓ ଶିଶୁମାନଙ୍କ ବିରୁଦ୍ଧରେ ଘଟୁଥିବା ବିଭିନ୍ନ ଅପରାଧ ଗୁଡିକର ସଫଳ ତଦନ୍ତ ନିମନ୍ତେ ପଦକ୍ଷେପ ନିଆଯାଇ ପାରିବ ବୋଲି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।