୮ ଜିଲ୍ଲାକୁ ମୁହଁ ମୋଡ଼ିଲା ମୌସୁମୀ

Monsoon

୮ ଜିଲ୍ଲାକୁ ମୁହଁ ମୋଡ଼ିଲା ମୌସୁମୀ

ଭୁବନେଶ୍ୱର : ସେପ୍ଟେମ୍ବର ୨୫ ସରିଗଲା  । କେଉଁଠି କାଚିଲା ତ କେଉଁଠି ଟିକେ ମନ ଉଣା କରିଦେଲା ମୌସୁମୀ  । ଭାରତୀୟ କୃଷିର ଜୀବନରେଖା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ୮ ଜିଲ୍ଳାକୁ ମୁହଁ ମୋଡ଼ିଦେଇଛି  । ପୂର୍ବାପେକ୍ଷା ବର୍ଷା ନିଅଣ୍ଟିଆ ଜିଲ୍ଲା ସଂଖ୍ୟା କମିଥିଲେବି, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀରେ ନିଅଣ୍ଟିଆ ସ୍ଥିତି ଜାରିରହିଛି  ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଜୁନ୍‌ ୧ରୁ ସେପ୍ଟେମ୍ବର ୨୫ ମଧ୍ୟରେ ମାଲକାନାଗିରିରେ ସର୍ବାଧିକ ବର୍ଷା ହୋଇଛି  । ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ରେକଡର଼୍ କରାଯାଇଛି  । ଅପରପକ୍ଷରେ ସୁନ୍ଦରଗଡ଼, ମୟୂରଭଞ୍ଜ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୋନପୁର, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟରେ ସ୍ୱାଭାବିକ ବର୍ଷା ହୋଇଛି  ।

ଅପରପକ୍ଷରେ ଏବେ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାବେଳେ ଏହା ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଉଛି  । ସେହିପରି ଆଜି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବାର ଥିବାରୁ ସେହିସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି  । ତେବେ ୨୭ରୁ ୨୯ ପର୍ଯ୍ୟନ୍ତ ବର୍ଷା ନେଇ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ  । କିନ୍ତୁ ୩୦ରୁ ପୁଣି ବର୍ଷା ଆରମ୍ଭ ହୋଇଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି  ।