କାହିଁକି ଓଡ଼ିଶା ଆସିଛନ୍ତି ଜେପି ନଡ୍ଡା, ରାଜନୀତିରେ ହଇଚଇ
JP NADDA

ଭୁବନେଶ୍ୱର : ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ୍ ପ୍ରକାଶ ନଡ୍ଡା । ଦଳ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଅପରାହ୍ନରେ ଶ୍ରୀ ନଡ୍ଡା ପ୍ରତ୍ୟାବର୍ତ୍ତନ କରିବେ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ. ଯତୀନ ମହାନ୍ତି ସୂଚନା ଦେଇଛନ୍ତି ।
ସଦସ୍ୟତା ହେଉଛି କାର୍ଯ୍ୟକର୍ତ୍ତା ଚୟନର ମୂଳ ଆଧାର । ସଙ୍ଗଠନର ମୂଳ ଆଧାର ହେଉଛନ୍ତି କାର୍ଯ୍ୟକର୍ତ୍ତା ଏବଂ ବିଜେପିର ମୂଳ ଆଧାର ହେଉଛି ସଙ୍ଗଠନ । ସଙ୍ଗଠନର ଶକ୍ତି ସହିତ ଆମର ବୈଚାରିକ ସ୍ପଷ୍ଟତା ଓ ଗରିବ କଲ୍ୟାଣର ମନ୍ତ୍ର ଆମକୁ ଦେଶ ଓ ରାଜ୍ୟରେ ଲୋକଙ୍କର ବିଶ୍ୱାସଭାଜନ କରିଛି । ଦଳର ସାଂଗଠନିକ ମହାପର୍ବ ‘ସଦସ୍ୟତା ଅଭିଯାନ - ୨୦୨୪’ ଚଳିତ ମାସ ୨ ତାରିଖରୁ ଦେଶବ୍ୟାପୀ ଏବଂ ୩ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଛି । ଆମ ସଦସ୍ୟତା ଅଭିଯାନକୁ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ଗତିଶୀଳ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଓଡିଶା ଗସ୍ତରେ ଆସୁଛନ୍ତି ବୋଲି ଡ.ମହାନ୍ତି ସୂଚନା ଦେଇଛନ୍ତି ।
ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଏଜି ଛକସ୍ଥିତ ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବେ । ଏହାପରେ ବୁଦ୍ଧିଜୀବି ସମ୍ମିଳନୀରେ ଯୋଗ ଦେଇ ପାର୍ଟିର ସଦସ୍ୟତା ଅଭିଯାନ ସଂପର୍କରେ ଆଲୋଚନା କରିବେ । ଏହି ଅବସରରେ ରାଜ୍ୟର ବିଭିନ୍ନ ଗୋଷ୍ଠୀ, ଅନୁଷ୍ଠାନ ଓ ସଂଗଠନକୁ ପ୍ରତିନିଧିତ୍ୱ କରୁଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେବେ । ମଧ୍ୟାହ୍ନରେ ଶ୍ରୀ ନଡ୍ଡା ରାଜ୍ୟ କାର୍ଯ୍ୟାଳୟଠାରେ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ରାଜ୍ୟ ପଦାଧିକାରୀଙ୍କ ସହ ସଦସ୍ୟତା ଅଭିଯାନ ସଂପର୍କରେ ଆଲୋଚନା କରିବେ ବୋଲି ଡ. ମହାନ୍ତି ସୂଚନା ଦେଇଛନ୍ତି ।