କାହିଁକି ଗୃହକୁ ଆସୁନାହାନ୍ତି ବିରୋଧୀ ଦଳ ନେତା ?

Naveen Patanaik, Odisha

କାହିଁକି ଗୃହକୁ ଆସୁନାହାନ୍ତି ବିରୋଧୀ ଦଳ ନେତା ?

ଭୁବନେଶ୍ୱର : ଗତ ୫ ବର୍ଷ ଧରି ବିଧାନସଭାରେ ଏକ ଅଲୋଡ଼ା ନଜିର ଦେଖିବାକୁ ମିଳିଛି  । ବିରୋଧୀ ଦଳ ନେତାମାନେ ଅସୁସ୍ଥତା ବା ଅନ୍ୟ କୌଣସି କାରଣରୁ ଅନୁପସ୍ଥିତ ରହୁଛନ୍ତି  । ବିରୋଧୀ ଦଳ ନେତା ଭାବେ ୨୦୧୯ରେ ପ୍ରଦୀପ୍ତ ନାଏକଙ୍କୁ ବିଜେପି ଚୟନ କରିଥିଲା  । ସେ ସବୁଦିନ ବିଧାନସଭା ଆସୁଥିଲେ  । କିନ୍ତୁ କରୋନା ଆକ୍ରାନ୍ତ ହେବା ପରେ ସେ ଆଉ ବିଧାନସଭା ଆସିପାରିନଥିଲେ  । ଦୀର୍ଘଦିନ ଧରି ସେ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ  । ପ୍ରଦୀପ୍ତ ଦୀର୍ଘଦିନ ଧରି ମେଡ଼ିକାଲରେ ରହିଥିଲେବି ବିଜେପି କିନ୍ତୁ ବିରୋଧୀ ଦଳ ନେତା ଭାବେ ଆଉ କାହାକୁ ଚୟନ କରିନଥିଲା  । ଫଳରେ ସେତେବେଳେ ବିଧାନସଭାରେ ବିରୋଧୀ ଦଳ ନେତାଙ୍କୁ ଦେଖିବାକୁ ମିଳିନଥିଲା  ।

ପ୍ରଦୀପ୍ତଙ୍କ ପରେ ବିରୋଧୀ ଦଳ ନେତା ହୋଇଥିଲେ ଜୟ ନାରାୟଣ ମିଶ୍ର  । ବିରୋଧୀ ଦଳ ନେତା ହେବା ପରେ ସେ ବିଧାନସଭାକୁ କମ୍ପାଇ ଦେଉଥିଲେ  । ସିଧାସଳଖ ସେତେବେଳର ୫ଟି ସଚିବ କାର୍ତିକ ପାଣ୍ଡିଆନଙ୍କୁ ଟାର୍ଗେଟ୍‌ କରି ସେ ହଟଚମଟ ସୃଷ୍ଟି କରିଥିଲେ  । କିନ୍ତୁ କିଛି ଦିନ ପରେ ଶାରୀରିକ ଅସୁସ୍ଥତା କାରଣରୁ ସେ ଆଉ ବିଧାନସଭା ଆସିପାରିନଥିଲେ  । ଫଳରେ ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତି ବାରି ହୋଇଥିଲା  । 

ଏବେବି ସମାନ ସ୍ଥିତି ସୃଷ୍ଟିହୋଇଛି  । ଗୋଟିଏ ପଟେ ବିେରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଫିଟ୍‌ ଅଛନ୍ତି ବୋଲି କହୁଛନ୍ତି  । ବିଧାନସଭାରେ ବିରୋଧୀ ଦଳ ନେତାଙ୍କର ଏକ ବଡ଼ ଦାୟିତ୍ୱ ରହିଛି  । ପ୍ରଥମେ ସେ କିଛିଦିନ ବିଧାନସଭା ଆସିଥିଲେବି ଏବେ ବିଧାନସଭା ଆସୁନାହାନ୍ତି  । ଦ୍ୱିତୀୟ ଦଫା ବିଧାନସଭା ଅଧିବେଶନ ଚାଲିଥିଲେବି ଦିନଟିଏ ବି ନବୀନଙ୍କୁ ଦେଖିବାକୁ ମିଳିନାହିଁ  । ମୁଖ୍ୟମନ୍ତ୍ରୀ ଥିବାବେଳେ ସେ ନିହାତି ଆବଶ୍ୟକ ବେଳେ ବିଧାନସଭା ଆସୁଥିଲେ  । ବିତର୍କ ଆଲୋଚନା ବେଳେ କେବଳ ନିଜର ହାତଲେଖା କାଗଜ ପଢ଼ି ନିଜର ପାଇଟି ସାରି ଦେଉଥିଲେ  । ବିତର୍କ ଶୁଣିବାର ବି ନଜିର ନଥିଲା  । ଏବେ ବିରୋଧୀ ଦଳ ନେତା ହେବାପରେ ବି ନବୀନ ସମାନ ଆଭିମୁଖ୍ୟ ଆପଣାଇଛନ୍ତି  ।