ଆମ ନେତା ନବୀନ, ପାଣ୍ଡିଆନ୍ ନୁହଁନ୍ତି : ଦେବାଶିଷ
Naveen Patanaik, Odisha Debasis Samantaray
ଭୁବନେଶ୍ୱର : ସେବେ ବିଜେଡ଼ି ନେତାମାନେ ପାଣ୍ଡିଆନ୍ ପାଣ୍ଡିଆନ୍ କହି ପାଣି ପିଉନଥିଲେ । ନବୀନଙ୍କ ପାଖରେ କମ୍, ପାଣ୍ଡିଆନ୍ ପାଖରେ ଅଧିକ ଶରଣ ପଶୁଥିଲେ । କିନ୍ତୁ ଏବେ କହୁଛନ୍ତି ଆମ ନେତା ହେଉଛନ୍ତି ନବୀନ ପଟ୍ଟନାୟକ । ପାଣ୍ଡିଆନ୍ କେବେବି ଆମ ନେତା ନଥିଲେ । ବିଜେଡ଼ି ନେତା ଦେବାଶିଷ ସାମନ୍ତରାୟଙ୍କ ଏଭଳି ମନ୍ତବ୍ୟ ରାଜନୀତିକ ମହଲରେ ହାସ୍ୟାରୋଳ ସୃଷ୍ଟିକରିଛି । ପାଣ୍ଡିଆନଙ୍କୁ ଏବେ ସମସ୍ତେ ନିର୍ବାଚନ ପରାଜୟ ପାଇଁ ଦାୟୀ କରୁଥିବାରୁ ତାଙ୍କୁ ବଞ୍ଚାଇବା ପାଇଁ ଦେବାଶିଷ ଏଭଳି ଉଦ୍ୟମ କରୁଥିବା କୁହାଯାଉଛି ।
ନିକଟରେ ବରିଷ୍ଠ ନେତା ଅମର ପ୍ରସାଦ ଶତପଥି ଓ ପ୍ରସନ୍ନ ପାଟ୍ଟଶାଣୀ ଦଳ ସଂକ୍ରାନ୍ତରେ ମତମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ରାଜନୀତିରେ ଆଲୋଡ଼ନ ସୃଷ୍ଟିହୋଇଛି । ଅମର କହିଥିଲେ, ଦଳ ଠିକ୍ ଭାବେ ଚାଲୁନାହିଁ । ସେ ଆଉ ବିଜେଡ଼ିରେ ନାହାନ୍ତି କି ସଭ୍ୟ ପଦ ନବୀକରଣ କରୁନାହାନ୍ତି । ସେହିପରି ପ୍ରସନ୍ନ ପାଟ୍ଟଶାଣୀ ସିଧାସିଧା ପାଣ୍ଡିଆନଙ୍କୁ ନିଶାନା ସାଧିଥିଲେ । ସେ କହିଥିଲେଯେ, ପାଣ୍ଡିଆନଙ୍କ ପାଇଁ ସେ ଦଳ ଛାଡ଼ିଛନ୍ତି । ଯେପର୍ଯ୍ୟନ୍ତ ପାଣ୍ଡିଆନ ବିଜେଡ଼ିରେ ଥିବେ ସେପର୍ଯ୍ୟନ୍ତ ବିଜେଡ଼ି କ୍ଷମତାକୁ ଆସିପାରିବ ନାହିଁ । ପାଣ୍ଡିଆନଙ୍କ ପାଇଁ ଲୋକପ୍ରିୟ ସରକାର କ୍ଷମତାରୁ ଚାଲିଗଲା ବୋଲି ପାଟ୍ଟଶାଣୀ କହିଥିଲେ । ଉଭୟ ଅମର ଓ ପାଟ୍ଟଶାଣୀଙ୍କୁ ଟାର୍ଗେଟ୍ କରିବାକୁ ଯାଇ ଦେବାଶିଷ ଏଭଳି ମନ୍ତବ୍ୟ ଦେଇଛନ୍ତି ।