ଆଜିଠାରୁ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ : ଭାରତୀୟ ସଂସ୍କୃତିରେ ଏକତା ଶିଖିବେ ଆଦିବାସୀ ଯୁବକ
ଭୁବନେଶ୍ୱର: ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନ ନେହରୁ ଯୁବ କେନ୍ଦ୍ର ସଂଗଠନ ଓଡ଼ିଶା ଶାଖା ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଛି ଶୋଡଷ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ । ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଆସନ୍ତାକାଲି ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । କାର୍ଯ୍ୟକ୍ରମ ସମୟରେ ନେହରୁ ଯୁବକେନ୍ଦ୍ର ସଂଗଠନ ଓଡ଼ିଶା ଏବଂ ଖୋର୍ଦ୍ଧା ଶାଖା ପକ୍ଷରୁ ୭ ଦିନ ପାଇଁ ଭାରତର ବିଭିନ୍ନ ପ୍ରାନ୍ତରରୁ ୨୦୦ ଆଦିବାସୀ ଯୁବକଙ୍କୁ ସ୍ୱାଗତ କରାଯିବ । ଏହି ୭ ଦିନ ମଧ୍ୟରେ ସେମାନେ ଓଡ଼ିଶାରେ ଆଦିବାସୀ ଜୀବନର ସଂସ୍କୃତି, ପରମ୍ପରା ଏବଂ ଅନ୍ୟାନ୍ୟ ଦିଗ ଅନୁସନ୍ଧାନ କରିବେ ଏବଂ ଆଦିବାସୀ ସମ୍ପ୍ରଦାୟ ପାଇଁ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ବିଷୟରେ ଅବଗତ ହେବେ । ଏହାସହ ସେମାନଙ୍କ ପାଇଁ ୨ ଦିନିଆ ଭ୍ରମଣ କାର୍ଯ୍ୟକ୍ରମ ରହିଛି ।
ଆଦିବାସୀ ଯୁବବର୍ଗଙ୍କୁ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସମ୍ପର୍କରେ ସଚେତନ କରିବା ଏବଂ ବିବିଧତାରେ ଏକତାକୁ ଗ୍ରହଣ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦେ୍ଦଶ୍ୟ । ସେହିପରି ବିକାଶ କାର୍ଯ୍ୟକଳାପ, ଶିଳ୍ପ ଉନ୍ନତି ସହିତ ଦେଶର ସାଥୀ ଜନସମୁଦାୟ ସହିତ ଭାବଗତ ସମ୍ପର୍କ ସ୍ଥାପନରେ ସାହାଯ୍ୟ କରିବା । ଆଦିବାସୀ ଯୁବବର୍ଗଙ୍କ ଆତ୍ମସମ୍ମାନକୁ ସୁଦୃଢ଼ କରିବା ସହିତ ନୂଆ ଜିନିଷ ଶିଖିବା, ନୂଆ ଚିନ୍ତାଧାରା ଏବଂ ଜୀବନ ଶୈଳୀର ଅନୁସନ୍ଧାନ କରିବା ଲାଗି ସେମାନଙ୍କ ପାଇଁ ଏହା ଏକ ଉତ୍ତମ ସୁଯୋଗ ହେବ ।