ଆସନ୍ତାକାଲି ପାରିତ ହେବ ବ୍ୟୟମଞ୍ଜୁରୀ ବିଲ୍
Odisha Legislative Assembly
ମଦମୃତ୍ୟୁ ପ୍ରସଙ୍ଗରେ ଘେରିବ ବିଜେଡ଼ି
ଭୁବନେଶ୍ୱର : ଆସନ୍ତାକାଲି ବିଧାନସଭାରେ ପାରିତ ହେବ ଚଳିତ ଆର୍ଥିକ ବର୍ଷର ବ୍ୟୟମଞ୍ଜୁରୀ ବିଲ୍ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବିଲ୍ ଆଗତ କରିବେ । ଯାହା ଉପରେ ଦୀର୍ଘ ସମୟ ଧରି ବିଧାନସଭାରେ ଆଲୋଚନା ହେବ । ଚଳିତ ବଜେଟ ଅଧିବେଶନର ଆସନ୍ତାକାଲି ହେଉଛି ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ପୂର୍ବରୁ ମୁଖ୍ୟମନ୍ତ୍ରୀ ବଜେଟ୍ ଉପସ୍ଥାପିତ କରିଥିବାବେଳେ ଆସନ୍ତାକାଲି ତାହା ପାରିତ ହେବ ।
ଅପରପକ୍ଷରେ ଆସନ୍ତାକାଲି ବିଜୁ ଜନତା ଦଳ ମଦମୃତ୍ୟୁ ପ୍ରସଙ୍ଗରେ ଘେରିବ ବୋଲି ସଂକେତ ଦେଇଛି । ଗଞ୍ଜାମ ଜିଲ୍ଲା ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ ପୁଣି କଡ଼ ଲେଉଟାଇବ । ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଏହି ଦିଗକୁ ଇଙ୍ଗିତ କରିଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡ଼ିର ବ୍ରହ୍ମପୁର ସଂସଦୀୟ ଟିମ୍ର ଏକ ଟିମ୍ ଜେନାପୁର ଓ କରବାଲୁଆ ଗାଁକୁ ଗସ୍ତ କରିଥିଲେ । ଏହି ଟିମରେ ରୂପେଶଙ୍କ ସମେତ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭ୍ରୁଗୁ ବକ୍ସିପାତ୍ର, ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ଜିଲ୍ଲା ବିଜେଡ଼ି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ପ୍ରମୁଖ ଯାଇଥିଲେ । ଏନେଇ ବିଜେଡ଼ି ଟିମ୍ ତଦନ୍ତ କରିଥିବାବେଳେ ବିଧାନସଭାରେ ପ୍ରସଙ୍ଗ ଉଠିବାର ଯଥେଷ୍ଟ ସମ୍ଭାବନା ରହିଛି ।