ରୋଜଗାର ଯୋଗାଉଛି କାଙ୍କଡ଼
ନୂଆପଡାରୁ ପରମେଶ୍ୱର ବାରିକ : ବର୍ଷା ଋତୁ ଆସିଲେ କାଙ୍କଡ଼ର ପସରା ଦେଖିବାକୁ ମିଳିଥାଏ । କାଙ୍କଡ଼ ପାଇଁ ବଜାରରେ ମଧ୍ୟ ବେଶ ଚାହିଦା ରହିଥାଏ । ଏଥିପାଇଁ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିବାରେ ବେଶ ସହାୟକ ହୋଇଥାଏ । ଆଦିବାସୀ ଅଧ୍ୟୁଷିତ ସିନାପାଲି ଅଞ୍ଚଳରେ ବିଶେଷ ଭାବରେ କାଙ୍କଡ଼ ମିଳିଥାଏ । ଜମିବିଲ ହୁଡ଼ାରେ ଏହି ଲତା ସଦୃଶ୍ୟ ଗଛରେ ଫଳ ଫଳିଥାଏ । କମ୍ ପରିଶ୍ରମରେ ଏହି କାଙ୍କଡ଼ ଚାଷ ହେଉଥିଲେ ମଧ୍ୟ ବଜାରରେ ପ୍ରଥମେ ପ୍ରଥମେ ୪୦୦ ଟଙ୍କା କିଲୋ ପ୍ରତି ଦାମ ରହିଥିବାବେଳେ ଏହା ଧୀରେ ଧୀରେ ୨୦୦ ଟଙ୍କାକୁ ଖସିଛି । ଏହି ଅଞ୍ଚଳରେ ବାହାର ଅଞ୍ଚଳର ବ୍ୟବସାୟୀମାନେ ମଧ୍ୟ ଘରକୁ ଘର ବୁଲି କାଙ୍କଡ଼ ସଂଗ୍ରହ କରି ବାହାରକୁ ପଠାଇ ଦୁଇ ପଇସା ରୋଜଗାର କରି ଘର ଖର୍ଚ୍ଚ ମିଳୁଥିବା ଚାଷୀମାନେ ପ୍ରକାଶ କରିଛନ୍ତି । ସିନାପାଲି ଅଞ୍ଚଳର ନଙ୍ଗଲବୋର୍ଡ, ଘାଟମାଳ, କୁସୁମଯୋର, ଭରୁଆମୁଣ୍ଡା, ସିଙ୍ଗଝର, ଗୋର୍ଲା, ଗୋଡ଼ାଲ ପଞ୍ଚାୟତ ଅଞ୍ଚଳରେ ବହୁଳ ଭାବରେ ଏହି କାଙ୍କଡ଼ ମିଳିଥିବା ବେଳେ ପ୍ରତ୍ୟହ ସିନାପାଲି ସହର ସମେତ ବିଭିନ୍ନ ବଜାରରେ ବିକ୍ରି ହେଉଛି । ବର୍ଷା ଋତୁର ୩ ମାସ ବିକ୍ରି ହେଉଥିବାବେଳେ ଚାଷୀମାନେ ମଧ୍ୟ ଦୁଇ ପଇସା ରୋଜଗାର କରି ନିଜର ଗୁଜୁରାଣ ମେଣ୍ଟାଇବା ସହ ଏହି କାଙ୍କଡ଼ ଏବେ ପ୍ରତ୍ୟେକ ଘରେ ସ୍ୱାଦିଷ୍ଟ ଖାଦ୍ୟ ହୋଇଛି । ପନିପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ବିଭିନ୍ନ ଅଞ୍ଚଳର ଚାଷୀମାନଙ୍କ ନିଜ ଜମିରେ ଉତ୍ପାଦନ ହେଉଥିବାରୁ ମନଭରି ଖାଦ୍ୟ ଖାଉଥିବାବେଳେ ପରିବା କିଣିବା ଖର୍ଚ୍ଚରେ କିଛି ଆଶ୍ୱସ୍ତି ମିଳିଛି ବୋଲି କାଙ୍କଡ଼ ଚାଷୀ ପ୍ରକାଶ କରିଛନ୍ତି । ସବୁଜ ରଙ୍ଗର ଏହି ପରିବା ସ୍ୱାସ୍ଥ୍ୟ ପାଇଁ ବେଶ୍ ହିତକର ହୋଇଥିବାବେଳେ ଏବେ ସବୁଠି ଆଦର ରହିଛି ।