ପ୍ରତିରକ୍ଷା କର୍ମଚାରୀଙ୍କୁ ବାନ୍ଧି ପାରିବନି ପୁଲିସ୍‌

POLICE SOP

ପ୍ରତିରକ୍ଷା କର୍ମଚାରୀଙ୍କୁ ବାନ୍ଧି ପାରିବନି ପୁଲିସ୍‌

ଭୁବନେଶ୍ୱର : ପ୍ରତିରକ୍ଷା କର୍ମଚାରୀ ଥାନାକୁ ଆସିଲେ କିଭଳି ବ୍ୟବହାର କରାଯିବ ସେନେଇ ଏକ ଏସଓପି ଜାରି କରାଯାଇଛି  । ଏନେଇ ରାଜ୍ୟ ସରକାର ହାଇକୋର୍ଟରେ ତଥ୍ୟ ଉପସ୍ଥାପିତ କରିଛନ୍ତି  ।

ଏସଓପି ଅନୁସାରେ କୌଣସି ଥାନାକୁ କିମ୍ବା ଫାଣ୍ଡିକୁ ପ୍ରତିରକ୍ଷା କର୍ମଚାରୀ ଅଭିଯୋଗ ନେଇ ଆସିଲେ ଉପସ୍ଥିତ ଥିବା ପୁଲିସ ଅଧିକାରୀ ତାଙ୍କ ଅଭିଯୋଗ ଶୁଣିବେ । ଆଇନ ଅନୁଯାୟୀ ତୁରନ୍ତ ପଦକ୍ଷେପ ନେବେ । ଯଦି କେହି ମୌଖିକ ଭାବେ ଅଭିଯୋଗ କରିବେ ତାକୁ ମଧ୍ୟ ଗୁରୁତ୍ୱ ଦେଇ ଅଭିଯୋଗକୁ ନିଜେ ଲେଖିବେ । ଅଭିଯୋଗକାରୀଙ୍କ ଦସ୍ତଖତ ରଖିବେ । କିନ୍ତୁ ଲିଖିତ ଅଭିଯୋଗ କରିବାକୁ ତାଙ୍କୁ ବାଧ୍ୟ କରିପାରିବେ ନାହିଁ ବୋଲି ଏସ୍‌ଓପିରେ କୁହାଯାଇଛି ।

ପ୍ରତିରକ୍ଷା କର୍ମଚାରୀଙ୍କ ବିରୋଧରେ ଅପରାଧିକ ମାମଲାକୁ ନେଇ ଗିରଫ କରିବାର ଆବଶ୍ୟକତା ଥିଲେ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ତାଙ୍କୁ ଗିରଫ କରାଯାଇପାରିବ ନାହିଁ  । ଏପରି ପରିସ୍ଥିତିରେ ନିକଟତମ ଷ୍ଟେସନ କମାଣ୍ଡର ବା ମେଜର ଜେନେରାଲଙ୍କ ଅନୁମତି ଲୋଡିବେ ସମ୍ପୃକ୍ତ ପୁଲିସ ଅଧିକାରୀ । ତେବେ ଷ୍ଟେସନ କମାଣ୍ଡର ବା ମେଜର ଜେନେରାଲଙ୍କ ଅନୁମତି ନମିଳିଲେ ସମ୍ପୃକ୍ତ ଅଭିଯୁକ୍ତ ପ୍ରତିରକ୍ଷା କର୍ମଚାରୀଙ୍କୁ ମିଲିଟାରୀ ପୁଲିସକୁ ହସ୍ତାନ୍ତର କରିବାକୁ କୁହାଯାଇଛି । ଅନ୍ୟପଟେ ହତ୍ୟା, ଦୁଷ୍କର୍ମ ଓ ଅପହରଣ ଭଳି ଅପରାଧ କ୍ଷେତ୍ରରେ ସମ୍ପୃକ୍ତ ପ୍ରତିରକ୍ଷା କର୍ମଚାରୀଙ୍କୁ ଗିରଫ କରିବାକୁ ଅନୁମତିର ଆବଶ୍ୟକତା ନାହିଁ ବୋଲି ଏସ୍‌ଓପିରେ ସ୍ପଷ୍ଟ ହୋଇଛି ।

ଗିରଫ ପ୍ରତିରକ୍ଷା କର୍ମଚାରୀଙ୍କୁ ହ୍ୟାଣ୍ଡକପ ନପକାଇବା ସହ ମାରପିଟ କିମ୍ବା ଦୁର୍ବ୍ୟବହାର ପ୍ରଦର୍ଶନ ନକରିବାକୁ ଏସଓପିରେ କୁହାଯାଇଛି ।