ବଜ୍ରପାତରେ ୯ ମୃତ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ୯ ଜଣଙ୍କର ମୃତୁ୍ୟଘଟିଛି । ଢ଼େଙ୍କାନାଳ, ପୁରୀ, କେନ୍ଦୁଝର, କଟକ ଜିଲ୍ଲାରେ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ମିଳିଥିବା ସୂଚନାନୁଯାୟୀ, ଢେଙ୍କାନାଳ ସଦର ଥାନାର ମହୁଲପଡ଼ା ଅଞ୍ଚଳରେ ବଜ୍ରପାତ ଯୋଗୁଁ ଦୁଇ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସେମାନେ ପଥର ଖଣିରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା । ପୁରୀ ଡେଲାଙ୍ଗ ବ୍ଳକ ଅନ୍ତର୍ଗତ କଅଁଳପଡ଼ା ଗାଁରେ ଜଣେ ଯୁବକ ବିଲରେ କାମ କରୁଥିବାବେଳେ ବଜ୍ରାଘାତ ଯୋଗୁଁ ମୃତୁ୍ୟବରଣ କରିଛନ୍ତି । ସେହିପରି ବିଲରେ ଥିବାବେଳେ ବଜ୍ରପାତ ଯୋଗୁଁ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଳକ ଅନ୍ତର୍ଗତ ହଳଦିଆପଡ଼ାରେ ଜଣେ ଯୁବକ ମୃତୁ୍ୟବରଣ କରିଛନ୍ତି । ଏତଦବ୍ୟତୀତ କଟକ ଜିଲ୍ଲା ଚୌଦ୍ୱାର ବ୍ଳକ ଅନ୍ତର୍ଗତ କାଞ୍ଜିଆ ଗାଁରେ ଜଣେ ମହିଳାଙ୍କର ମଧ୍ୟ ମୃତୁ୍ୟ ଘଟିଥିବା ଜାଣିବାକୁ ମିଳିଛି ।