କ’ଣ କଲେ ବଢ଼ିବ ସୁଖ ଓ ସମୃଦ୍ଧି?

କ’ଣ କଲେ ବଢ଼ିବ ସୁଖ ଓ ସମୃଦ୍ଧି?

ଆଜିକାଲି ଆପାର୍ଟମେଣ୍ଟ୍ ହେଉ ବା ବଡ଼ ବଙ୍ଗଳା ।  କିମ୍ବା ସାଧାରଣ ଘର, ଏସବୁର ନକ୍ସା ତିଆରି କରୁଥିବା ଇଂଜିନିୟର୍ ଓ ଆର୍କିଟେକ୍ସମାନେ ବାସ୍ତୁଶାସ୍ତ୍ରରେ ପ୍ରଦତ୍ତ ନିୟମକୁ ଅନୁସରଣ କରୁଛନ୍ତି । କେବଳ ଭାରତ ନୁହେଁ, ବିଦେଶୀମାନେ ମଧ୍ୟ ଏହା ପ୍ରୟୋଗ କରୁଥିବା ଦେଖିବାକୁ ମିଳୁଛି । ଅସଲରେ ଭାରତୀୟ ବାସ୍ତୁଶାସ୍ତ୍ର ବିଜ୍ଞାନସମ୍ମତ ହୋଇଥିବାରୁ ଗ୍ରହଣୀୟ ହୋଇଛି । ଏଥର ବାୟୁ ବିଚାରରେ ଆମେ ଘର ଭିତରେ କେଉଁ ଜିନିଷ କେଉଁଠି ରଖିବା ଉଚିତ ଏବଂ ତାହାର ଆମ ଉପରେ କି ପ୍ରଭାବ ରହିଛି ସେ ସମ୍ପର୍କରେ ଜାଣିବା ।
 ଘରଟିଏ ନିର୍ମାଣ କଲାବେଳେ ଅଗ୍ନିକୋଣରେ ରୋଷେଇ ଘର ରଖିବା ଉଚିତ । ରୋଷେଇ ଘର ସଫାସୁତରା ରଖିବା ସହିତ ସେଠାରେ ଅଇଁଠା ବାସନକୁସନ ରଖିବା ଅନୁଚିତ । ଅଇଁଠା ରହିଲେ ହତଲକ୍ଷ୍ମୀ ଦୋଷ ଲାଗିଥାଏ । ପୂର୍ବମୁଖ ହୋଇ ରୋଷେଇ କରିବା ଉଚିତ । ରୋଷେଇ ଘର ଅଗ୍ନିକୋଣରେ ଘିଅ, ମହୁ, ଗୁଡ଼ ରଖିଲେ ଧନ ବୃଦ୍ଧି ହୋଇଥାଏ ।
ଧନ ଆକର୍ଷଣ ନିମିତ୍ତ ଘରର ଦକ୍ଷିଣ-ପଶ୍ଚିମ ନୈରତ କୋଣରେ ଆମିରା ରଖିବା ଉଚିତ ସେଥିରେ ଶଙ୍ଖ, କଉଡ଼ି, ଶ୍ରୀକର୍ପୂର ଓ ମୟୂରଚନ୍ଦ୍ରିକା ରଖିଲେ ପରେ ସଞ୍ଚିତ ଅର୍ଥ ବୃଦ୍ଧି ହୋଇଥାଏ । ଯଦି ଐଶାନ୍ୟ କୋଣରେ ଧନ ରଖନ୍ତି ତେବେ ସ୍ୱାସ୍ଥ୍ୟ ସମସ୍ୟାରେ ନୀତ ଅର୍ଥ ଖର୍ଚ୍ଚ ହୋଇଯାଇଥାଏ । ଯଦି ଉତ୍ତର ଭାଗରେ ଧନ ରହେ ତେବେ ଧାର ଦେଇଥିବା ଟଙ୍କା ଫେରସ୍ତ ଆସେ ନାହିଁ । 
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶୋଇବା ଘର ସଦାବେଳେ ପରିଷ୍କାର ରଖିବା ଦରକାର । ବିଛଣା ସବୁବେଳେ ସଫା ରହିବା ଉଚିତ । ଶୋଇବା ଘରର ପୂର୍ବ ଓ ଦକ୍ଷିଣ ଭାଗରେ ନିଜର ଏକ ଖୁସି ମୁହୂର୍ତ୍ତର ଫଟୋ ଲଗାଇବା ଦରକାର । ଏହାଦ୍ୱାରା ସୁଖ, ସମୃଦ୍ଧି ଆସିଥାଏ । ଭଙ୍ଗା ଆଳନା ବିବାଦ ସୃଷ୍ଟି କରିଥାଏ । ତେଣୁ ଘରେ ହେଉ ଅବା ଡ୍ରଇଂରୁମରେ କେବେ ବି ଭଙ୍ଗା ଆଇନା ରଖିବା ଉଚିତ ନୁହେଁ । ଧ୍ୟାନ ରଖିବେ, ଯେପରି ଆଇନାରେ ନିଜ ଶଯ୍ୟା ଉପର ଛାଇ ନପଡ଼େ  । ଛାଇ ପଡ଼ିଲେ ସୁନିଦ୍ରା ହୋଇ ନଥାଏ । 
ସୁଖ ସମୃଦ୍ଧି ପାଇଁ ଅନ୍ୟ ଏକ କାରଣ ହେଉଛି ଗାଧୁଆଘର । ଏହାକୁ ସଦାବେଳେ ସଫା ରଖିବା ଆବଶ୍ୟକ । କମୋଡ୍(ପ୍ୟାନ୍ ପରିଷ୍କାର ରଖିବା ଉଚିତ । ସଫା ନରହିଲେ ରାହୁଙ୍କର ବଳବୃଦ୍ଧି ଘଟି ପିଲାଙ୍କର ଚରିତ୍ରଗତ ଦୋଷ ବୃଦ୍ଧି ହୋଇଥାଏ । 
ମୁଖ ସମୃଦ୍ଧି ପାଇଁ ଘରର ସମ୍ମୁଖ ଭାଗରେ ସ୍ୱସ୍ତିକ ଓ ଗଣେଶଙ୍କର ଫଟୋଚିତ୍ର ରଖିବା ଦ୍ୱାରା ଶୁଭଫଳ ମିଳିଥାଏ । ଘରର ଦ୍ୱାରଦେଶରେ ଦୁଇଟି କଳସ ରଖିବା ଅତ୍ୟନ୍ତ ଶୁଭ । ଘରର ବାହାରପଟେ ତୁଳସୀ ଗଛ ଲଗାଇବା ଶୁଭ ହୋଇଥାଏ । ପ୍ରତ୍ୟେକ ଦିନ ତୁଳସୀ ଗଛରେ ଜଳ ଅର୍ପଣ କଲେ ଘରେ ଶ୍ରୀ ବୃଦ୍ଧି ହୋଇଥାଏ ।
ସେହିଭଳି ଡାଇନିଂ ହଲ୍କୁ ସକାର ରଖନ୍ତୁ । କାନ୍ଥଘଣ୍ଟା ପୂର୍ବ ଓ ଦକ୍ଷିଣ ଭାଗରେ ରଖିବା ଉଚିତ । ସୁଗନ୍ଧିତ ଫୁଲ ଘରର ଶୋଭା ବଢ଼ାଇବା ସହିତ ପରିବେଶକୁ ସୁନ୍ଦର ରଖିଥାଏ । ଘରେ ପ୍ଲାଷ୍ଟିକ୍ ଫୁଲ ବ୍ୟବହାର କରିବା ଉଚିତ ନୁହେଁ । ଝରକା କାଚ ସଫା ରଖିବା ଉଚିତ । ଧୂଳି ମଇଳା ରହିଲେ ମାନସିକ ଅଶାଟି ଆସିଥାଏ । ଅଳନ୍ଦୁ ରହିବା ଦ୍ୱାରା ଧନହାନୀ ହୋଇଥାଏ । 
ଘରକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଦକ୍ଷିଣ-ପୂର୍ବ କୋଣରେ ଦୌଡୁଥିବା ଘୋଡ଼ା ଚିତ୍ର ଲଗାଇବା ଶୁଭ । ଏହାସହିତ ଚାରିପଟେ ସ୍ୱସ୍ତିକ ଚିହ୍ନ ଲଗାଇ ପାରିବେ । ଘରର ପୂର୍ବ ଭାଗରେ ହଳଦିଆ ସ୍ୱସ୍ତିକ, ଦକ୍ଷିଣ କାନ୍ଥରେ ଲାଲ୍ ସ୍ୱସ୍ତିକ, ପଶ୍ଚିମ କାନ୍ଥରେ ନୀଳ ସ୍ୱସ୍ତିକ ଏବଂ ଉତ୍ତର କାନ୍ଥରେ–ସବୁଜ ସ୍ୱପ୍ତିକ ଲଗାଇଲେ ଘରକୁ ଶୁଭ ଶକ୍ତି ପ୍ରବେଶ–କରିଥାଏ ଏବଂ ସଫଳତା ମିଳିଥାଏ ।