ଅତ୍ୟଧିକ ଲୁଣ କାହିଁକି ବିପଜ୍ଜନକ?
ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ଏକାଧିକ ରୋଗ ମାଡି଼ବସେ। ଫାଷ୍ଟଫୁଡ୍ ଏବଂ ଜଙ୍କ ଫୁଡରେ ଅତ୍ୟଧିକ ସୋଡିୟମ୍ ଥାଏ। ଅତ୍ୟଧିକ ସୋଡିୟମ ମିଶ୍ରିତ ଖାଦ୍ୟ ଖାଇବା ଦ୍ୱାରା କିଡନୀ, ଗ୍ୟାଷ୍ଟ୍ରିକ୍, କର୍କଟ ଏବଂ ମୋଟାପଣ ଭଲି ଅନେକ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ। ଏନେଇ ବୈଜ୍ଞାନିକଙ୍କ ଅନୁଧ୍ୟାନ କଣ କହୁଛି, ଜାଣନ୍ତୁ...
ପ୍ରତିଦିନ ନିର୍ଦ୍ଧାରିତ ପରିମାଣଠାରୁ ଏକ ଗ୍ରାମ ଅଧିକ ଲୁଣ ଖାଇବା ଦ୍ୱାରା ଏକଜିମା ହେବାର ଆଶଙ୍କା 22 ପ୍ରତିଶତ ବଢିପାରେ। ଏଥିରେ ଚର୍ମ ଶୁଷ୍କ ଏବଂ ଫୁଲିଯାଇଥାଏ। ଏହା ସହିତ ଚର୍ମ କୁଣ୍ଡିଆ ରୋଗ ମଧ୍ୟ ହୁଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଅନୁଯାୟୀ, ଗୋଟିଏ ଦିନରେ 2 ଗ୍ରାମରୁ କମ୍ ସୋଡିୟମ ଖାଇବା ଉଚିତ୍। 2 ଗ୍ରାମ ସୋଡିୟମ ଅର୍ଥ ଦିନରେ 5 ଗ୍ରାମରୁ କମ୍ ଲୁଣ ଖାଇବା ଉଚିତ୍। ଏହାଠୁ ଅଧିକ ସୋଡିୟମ ଶରୀରରେ ଅଟୋଇମ୍ୟୁନ ଏବଂ କ୍ରନିକ୍ ପ୍ରଦାହ ଜନିତ ସମସ୍ୟା ସୃଷ୍ଟି କରିପାରେ। ଅନେକ ଅନୁଧ୍ୟାନରୁ ଜଣାପଡିଛି ଯେ, ଫାଷ୍ଟଫୁଡ୍ ଖାଇବା ଦ୍ୱାରା ଶରୀରରେ ସୋଡିୟମ ପରିମାଣ ଶୀଘ୍ର ବଢିଥାଏ। ଏସବୁ ଖାଦ୍ୟ ଖାଇବା ଦ୍ୱାରା ଶିଶୁ ଏବଂ ଯୁବକମାନଙ୍କଠାରେ ଏକଜିମା ହେବାର ଆଶଙ୍କା ବଢିଥାଏ।