କାହିଁକି ସୁନୀତିଙ୍କୁ ପାର୍ଟି ଅଫିସରୁ ତଡ଼ିଲେ ମହିଳା ନେତ୍ରୀ
Suniti Munda, State BJP party Office

ଭୁବନେଶ୍ୱର : ଜଣେ ନିଲମ୍ବନ ହେବା ପରେ ଦଳୀୟ କାର୍ଯ୍ୟାଳୟକୁ ଆସିବା କଥା ନୁହେଁ । କିନ୍ତୁ ସୁନୀତି ମୁଣ୍ଡ ବିଜେପି କାର୍ଯ୍ୟାଳୟକୁ ଆସିଥିଲେ । ସେ ଆସି ବସିଥିଲେ ବି କେହି କିଛି କହିନଥିଲେ । କିନ୍ତୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ ଦଳ ସମ୍ପର୍କରେ କିଛି ଟିପ୍ପଣୀ ଦେଇଥିଲେ । ଯାହାକି ଭୁବନେଶ୍ୱର ବିଜେପି ନେତ୍ରୀମାନଙ୍କର ହଜମ ହୋଇନଥିଲା । ସେମାନେ ଗଣମାଧ୍ୟମରେ କିଛି ନକହିବାକୁ ନିବେଦନ କରିଥିଲେବି ସୁନୀତି ଶୁଣିନଥିଲେ । ତେଣୁ କିଛି ମହିଳା ନେତ୍ରୀ ଏକାଠି ହୋଇ ତାଙ୍କୁ ପାର୍ଟି ଅଫିସରୁ ତଡ଼ିଦେଇଥିଲେ ।
ଆଜି ଠାରୁ ରାଜ୍ୟ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି । ଏଥିପାଇଁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ବଡ଼ ସଭାର ମଧ୍ୟ ଆୟୋଜନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଠାରୁ ନେଇ ରାଜ୍ୟ ପ୍ରଭାରୀ, ସହପ୍ରଭାରୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଭାରେ ଯୋଗଦେବାକୁ ସୁନୀତି ମୁଣ୍ଡ ମଧ୍ୟ ଆସିଥିଲେ । ତେବେ ବିଜେପିର ମହିଳା ନେତ୍ରୀମାନେ ତାଙ୍କୁ ଘଉଡ଼ାଇ ଦେଇଥିଲେ । ତାଙ୍କ ହାତ ଧରି ବାହାରକୁ ବାହାର କରିଦେଇଥିଲେ । ସେହି ସମୟରେ ସୁନୀତିଙ୍କ ସହ ମହିଳା ନେତ୍ରୀମାନଙ୍କ ଯୁକ୍ତି ତର୍କ ବି ହୋଇଥିଲା । ଦଳ ବିରୋଧରେ ସେ ଗଣମାଧ୍ୟମରେ ଟିପ୍ପଣୀ ଦେଇଥିବାରୁ ତାଙ୍କୁ ଉପସ୍ଥିତ କାର୍ଯ୍ୟକର୍ତାମାନେ ବିରୋଧ କରିଥିଲେ । ଏପରିକି ଦିନେ ତାଙ୍କର ଜିନ୍ଦାବାଦ ପକାଉଥିବା ନେତ୍ରୀମାନେ ବି ତାଙ୍କୁ ବିରୋଧ କରିବାକୁ ପଛାଇନଥିଲେ । ରାଗ ତମତମ ହୋଇ ସୁନୀତି ବି ସେମାନଙ୍କ ଉପରେ ବର୍ଷିଥିଲେ । ନିକଟରେ ସୁନୀତିଙ୍କୁ ଦଳରୁ ବହିଷ୍କାର ମଧ୍ୟ କରାଯାଇଛି । ଯାହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।