ଶିଶୁ ମନ୍ଦିରରେ କମ୍ପୁ୍ୟଟର ଲ୍ୟାବ୍ ଉଦ୍ଘାଟନ କଲେ ଧର୍ମେନ୍ଦ୍ର
ସମ୍ବଲପୁର/ଭୁବନେଶ୍ୱର : ସମ୍ବଲପୁର ସିଦେ୍ଧଶ୍ୱରବେର୍ଣ୍ଣା ଟାଙ୍ଗରପାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଉଦ୍ଘାଟିତ ହୋଇଥିବା କମ୍ପୁ୍ୟଟର ଲ୍ୟାବ୍ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଟେକ୍ନୋଲୋଜି ସହ ଯୋଡି ସେମାନଙ୍କ ପାଖରେ ଦେଶ ଦୁନିଆର ଖବର ପହଞ୍ଚାଇବା ଦିଗରେ ଏକ ପ୍ରମୁଖ ମାଧ୍ୟମ ହେବ ବୋଲି ଏହାର ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହା ସହିତ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସାମାଜିକ ଦାୟିତ୍ୱ ଅନ୍ତର୍ଗତ ପ୍ରାୟ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି କମ୍ପୁ୍ୟଟର ଲ୍ୟାବ୍ ତିଆରି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଏହା ଏକ ସାଧୁ ଉଦ୍ୟମ । ଓଡ଼ିଶାର ପୁଞ୍ଜି ହେଉଛି ଶିକ୍ଷା, ଯାହାକୁ ସୁସମୃଦ୍ଧ କରିବାରେ ବିଦ୍ୟା ଭାରତୀ ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବଡ଼ ଭୂମିକା ଗ୍ରହଣ କରିଛି । ଯେତେବେଳେ ଜାତୀୟ ଶିକ୍ଷା ନୀତିରେ ଭାରତୀୟ ଶିକ୍ଷା ବ୍ୟବସ୍ଥା ଓ ଭାରତୀୟ ମୂଲ୍ୟବୋଧକୁ ପୁନଃସ୍ଥାପିତ କରିବା ପାଇଁ ପ୍ରୟାସ ହେଉଛି, ସେ ସମୟରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଏହାକୁ ସଫଳ କରିବା ସହ ବିକଶିତ ଭାରତର ମଙ୍ଗ ଧରିବେ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।