ନୂଆବର୍ଷରୁ ମିଳିବ ଗହମ
Wheat in Ration

ଭୁବନେଶ୍ୱର : ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଗହମ ଆସିଯାଇଛି । କିନ୍ତୁ ସରକାରୀ ସ୍ତରରେ କାମ ସରିନଥିବାରୁ ଗହମ ଆବଣ୍ଟନ ଆହୁରି ଦୁଇମାସ ବିଳମ୍ବିତ ହୋଇଯିବ । କିଛି ହିତାଧିକାରୀ ଚାଉଳ ସହ ଗହମ ନେବାକୁ ଚାହୁଁନାହାନ୍ତି । ଆଉ କିଛି ହିତାଧିକାରୀ କେବଳ ଗହମ ନେବାକୁ ଚାହୁଁଛନ୍ତି । କେଉଁ ଜିଲ୍ଲାରୁ କେତେ ହିତାଧିକାରୀ ଗହମ ଚାହୁଁଛନ୍ତି, ସେନେଇ ତଥ୍ୟ ମଗାଯାଇଛି । ସହରାଞ୍ଚଳରେ ଲୋକେ ଗହମକୁ ଅଧିକ ପସନ୍ଦ କରୁଛନ୍ତି । ତଥ୍ୟ ମିଳିବା ପରେ ପ୍ରତି ଜିଲ୍ଲାକୁ ଧାର୍ଯ୍ୟ ପରିମାଣର ଗହମ ପଠାଯିବ । ସେହିପରି ଗହମ ପରିବହନ ନେଇ ମଧ୍ୟ ଟେଣ୍ଡର ଡକାଯିବ । ଏହି କାମ ବିଳମ୍ବିତ ହେଉଥିଲେବି ନୂଆବର୍ଷରୁ ହିତାଧିକାରୀମାନେ ଚାଉଳ ସହ ଗହମ ପାଇପାରିବେ ବୋଲି ସେ କହିଛନ୍ତି ।
ଏହାଛଡ଼ା ଇ-କେୱାଇସି କାମ ଦ୍ରୁତ ଗତିରେ ଚାଲିଛି । ଏଯାବତ୍ ୮୫% ହିତାଧିକାରୀଙ୍କର ଇ-କେୱାଇସି ହୋଇସାରିଲାଣି । ୧୫ ଦିନ ମଧ୍ୟରେ ସବୁ କାମ ସରିଯିବ । ସେହିଭଳି ନଭେମ୍ବର ଶେଷ ସୁଦ୍ଧା ବରଗଡ଼ ସୋହେଲାରେ ଚାଷୀ ସମାବେଶ ହେବ । ଏନେଇ ମୁଖ୍ୟମନ୍ତ୍ରୀ ତାରିଖ ଘୋଷଣା କରିବେ । ମୁଖ୍ୟମନ୍ତ୍ରୀ ଯେଉଁ ତାରିଖ ଘୋଷଣା କରିବେ ସେହିଦିନ ଚାଷୀ ସମାବେଶ କରାଯିବ । ଏହି ସମାବେଶରେ ୧ ଲକ୍ଷରୁ ଅଧିକ ଚାଷୀ ଯୋଗଦେବେ ବୋଲି ମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ, ୨୦୨୦-୨୧ରୁ ରାଜ୍ୟରେ ରାସନ କାର୍ଡ ହିତାଧିକାରୀଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଗହମ ଦେବା ବନ୍ଦ ହୋଇଥିଲା ।