ଛତିଶଗଡ଼ ଜଳ ବିବାଦ ସଂକ୍ରାନ୍ତରେ ଆଲୋଚନା ହେବ: ପୂଜାରୀ
ସମ୍ବଲପୁର: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଉପୁଜିଥିବା ଜଳ ବିବାଦ ସଂକ୍ରାନ୍ତରେ ଜଳସଂପଦ ବିଭାଗର ଅଧିକାରୀମାନଙ୍କ ସହିତ ଆଲୋଚନା ହୋଇଛି। ପୂର୍ବରୁ ଛତିଶଗଡ଼ର ଅଧିକାରୀମାନେ ଓଡ଼ିଶାର ଅଧିକାରୀଙ୍କ ସହ କଥାବାର୍ତ୍ତା ହେଉନଥିଲେ। ଏବେ ଉଭୟ ରାଜ୍ୟର ଅଧିକାରୀଙ୍କ ମଧ୍ୟରେ ସୂଚନା ଆଦାନପ୍ରଦାନ ଆରମ୍ଭ ହୋଇଛି। ଆଗକୁ ଛତିଶଗଡ଼ ସରକାରଙ୍କ ସହ ଜଳ ବିବାଦ ସଂକ୍ରାନ୍ତରେ ଆଲୋଚନା ହେବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ମହାନଦୀ ଜଳ ବିବାଦ ସଂପର୍କିତ ମାମଲାର ସବିଶେଷ ତଥ୍ୟ ଜଳସଂପଦ ବିଭାଗର ଅଧିକାରୀମାନଙ୍କୁ ସେ ମାଗିଛନ୍ତି ବୋଲି ବୁର୍ଲା ଅଶୋକ ନିବାସରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଶ୍ରୀ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଶ୍ରୀ ପୂଜାରୀ କହିଛନ୍ତି, ମହାନଦୀରେ ବର୍ଷା ଜଳ ସଂରକ୍ଷଣ ପାଇଁ ଖସଡ଼ା ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମହାନଦୀରୁ ପାଣି ନେଇ ଜଳକର ଦେଉନଥିବା କଂପାନିଗୁଡ଼ିକର ରିପୋର୍ଟ ପ୍ରସ୍ତୁତ କରି ଟିକସ ଆଦାୟ କରିବାକୁ ଜିଲ୍ଲାପାଳଙ୍କୁ କହିଛନ୍ତି। କଂପାନିମାନେ ମହାନଦୀରୁ ଭଲ ପାଣି ନେଇ ବର୍ଜ୍ୟବସ୍ତୁ ସବୁ ଭେଡ଼େନ ନଦୀ, ଇବ୍ ନଦୀ, ମହାନଦୀକୁ ଛାଡ଼ୁଛନ୍ତି। ଏହାର ତଦନ୍ତ କରିବାକୁ ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ କୁହାଯାଇଛି।