ଡଙ୍ଗା ଦୁର୍ଘଟଣାରେ ମୃତୁ୍ୟ ଘଟଣା :ବୋଟରେ ନ ଥିଲା ଲାଇଫ୍ ଜ୍ୟାକେଟ୍
ମୁମ୍ବାଇ: ମୁମ୍ବାଇ ଗେଟ୍ୱେ ଅଫ୍ ଇଣ୍ଡିଆ ପାଖରେ ହୋଇଥିବା ଡଙ୍ଗା ଦୁର୍ଘଟଣା ମାମଲାରେ ଏବେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଯାତ୍ରୀଙ୍କ କହିବା ମୁତାବକ, ଫେରିବୋଟ୍ରେ କାହା ପାଖରେ ଲଇଫ୍ ଜ୍ୟାକେଟ୍ ନଥିଲା । ତେଣୁ ଅଧିକାଂଶ ଲୋକଙ୍କ ମୃତୁ୍ୟ ହୋଇଛି । ଦୁର୍ଘଟଣାର ୨୦ରୁ ୨୫ ମିନିଟ୍ ପରେ ନୌସେନା ଉଦ୍ଧାର ପାଇଁ ଆସିଥିଲା । ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ନାଥାରାମ ଚୌଧୁରୀଙ୍କ ଅଭିଯୋଗ ଆଧାରରେ କୋଲବା ପୁଲିସ୍ ନେଭି ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।
ସୂଚନାଯୋଗ୍ୟ ବୁଧବାର ଅପରାହ୍ଣରେ ମୁମ୍ବାଇ ଗେଟ୍ୱେ ଅଫ୍ ଇଣ୍ଡିଆ ନିକଟରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଫେରିବୋଟ୍କୁ ନୌସେନାର ସ୍ପିଡ୍ ବୋଟ୍ ଧକ୍କା ଦେଇଥିଲା । ଏଥିରେ ୧୩ ଜଣଙ୍କର ମୃତୁ୍ୟ ହୋଇଛି । ସେମାନଙ୍କ ଭିତରେ ୧୦ ଜଣ ସାଧାରଣ ଲୋକ ଓ ୩ ଜଣ ନୌସେନା କର୍ମଚାରୀ ଅନ୍ତର୍ଭୁକ୍ତ ଅଛନ୍ତି । ପାଖାପାଖି ଶହେରୁ ଅଧିକ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ନିଖୋଜଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ମୁମ୍ବାଇ ଗେଟ୍ ୱେ ଅଫ୍ ଇଣ୍ଡିଆ ନିକଟରେ ଗତକାଲି ଅପରାହ୍ଣ ପ୍ରାୟ ୪ଟା ସମୟରେ ଏହି ଅଘଟଣ ଘଟିଥିଲା । ତେବେ ପର୍ଯ୍ୟଟକଙ୍କୁ ନେଇ ଏଲିଫାଣ୍ଟା ଯାଉଥିଲା ଏହି ଡଙ୍ଗା । ଏଥିରେ ୫ କ୍ରିଉ ମେମ୍ବରଙ୍କୁ ନେଇ ପ୍ରାୟ ଶହେରୁ ଅଧିକ ଯାତ୍ରୀ ଥିଲେ । କରଞ୍ଜ ନିକଟ ଉରାନରେ ହଠାତ୍ ନୌସେନାର ସ୍ପିଡ୍ ବୋଟ ଆସି ଡଙ୍ଗାକୁ ଧକ୍କା ଦେଇଥିଲା ।