୫ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର୍
କଶ୍ମୀର: ଭାରତୀୟ ସେନାକୁ ମିଳିଛି ଆଉ ଏକ ବଡ଼ ସଫଳତା । ଜମ୍ମୁ-କଶ୍ମୀରର କୁଲଗାମରେ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୫ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର କରାଯାଇଛି । କୁଲଗାମ ଜିଲ୍ଲାର ବେହିବାଗ ପିଏସ୍ର କଦ୍ଦର ଗାଁରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଅଞ୍ଚଳରେ ସେନା ସର୍ଚ୍ଚ ଅପରେସନ୍ କରୁଥିବା ବେଳେ ଆତଙ୍କବାଦୀମାନେ ନିଜକୁ ରକ୍ଷା କରିବାକୁ ଯାଇ ସେମାନଙ୍କ ଉପରକୁ ଗୁଳିଚାଳନା କରିଥିଲେ । ଫଳରେ ସେନା ପକ୍ଷରୁ ପାଲଟା ଜବାବ ଦିଆଯାଇଥିଲା । ଆଉ ଘଟଣାସ୍ଥଳରେ ହିଁ ୫ ଆତଙ୍କବାଦୀଙ୍କୁ ନିହତ କରିଛି ସେନା । ତେବେ ଏ ଘଟଣାରେ ଦୁଇଜଣ ଯବାନ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ଅଞ୍ଚଳରେ ଆଉ ଅଧିକ ଆତଙ୍କବାଦୀ ଲୁଚି ରହିଥିବା ସନେ୍ଦହରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସେନାର ଚିନାର୍ କର୍ପସ କହିଛି ଯେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସ୍ୱତନ୍ତ୍ର ଗୁଇନ୍ଦା ତଥ୍ୟ ମିଳିଥିଲା । ଏହି ଆଧାରରେ ଭାରତୀୟ ସେନା କୁଲଗାମରେ ମିଳିତ ଅପରେସନ ଆରମ୍ଭ କରିଛି । ଏହି ସମୟରେ ସେନାକୁ ଦେଖି ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ । ସେନା ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା ।