ଆଳୁ, ପିଆଜ ଯୋଗାଇବ ନାଫେଡ

ଭୁବନେଶ୍ୱର: ରାଜ୍ୟରେ ଦର ବୃଦ୍ଧିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ହୋଡିଂ ଉପରେ ନଜର ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରିବା ଦର ବୃଦ୍ଧି ଉପରେ କେବେ ରୋକ ଲାଗିବ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି ଯେ ଆଳୁ, ପିଆଜ ଯୋଗାଇବାକୁ ନାଫେଡକୁ କୁହାଯିବ। ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ହେବ, ମୁଖ୍ୟମନ୍ତ୍ରୀଙ୍କ ସହ ଏସମ୍ପର୍କରେ ଆଲୋଚନା ହୋଇଛି।
ଆଳୁ କିଲୋ ପିଛା ୩୦କୁ ପିଆଜ ୪୦ ଟଙ୍କାରେ ବିକ୍ରି ହେଉଛି। ପରିବା ଦର କଥା ନ କହିଲେ ଭଲ। ୮୦ ଟଙ୍କା ତଳକୁ ପରିବା ନାହିଁ। ପନିପରିବାଗୁଡ଼ିକର ଏପରି ଦର ଖାଉଟିଙ୍କୁ ବାଧୁଥିବା ବେଳେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ନାସିକରୁ ପିଆଜ ୨୯.୫୩ ଟଙ୍କାରେ ଆସୁଛି। ପରିବହନ ଖର୍ଚ୍ଚ ମିଶି ତାହା ୩୪ ଟଙ୍କାରେ ପହଞ୍ଚୁଛି। ଏହି ଦାମରେ ବେପାରୀ ନାସିକରୁ ପିଆଜ ଆଣୁଛନ୍ତି। ଏହାପରେ ହୋଲସେଲର ଓ ରିଟେଲର ବେପାରୀ ନିଜ ଲାଭ ରଖି କେଜି ପ୍ରତି ୪୦ ଟଙ୍କାରେ ବିକ୍ରି କରୁଛନ୍ତି।
ସେହିପରି ଆଳୁ ଲାଗି ଆସାମ ଓ ବେଙ୍ଗଲ ଉପରେ ଓଡ଼ିଶା ନିର୍ଭରଶୀଳ ରହିଛି। ସେଠାରେ ଦର ବଢ଼ିବାରୁ ଆମ ରାଜ୍ୟରେ ମଧ୍ୟ ଆଳୁ ଦର ବଢ଼ିଛି ବୋଲି କହିଛନ୍ତି ମନ୍ତ୍ରୀ । ତେବେ ଅନାବଶ୍ୟକ ହୋର୍ଡିଂ ଉପରେ ନଜର ରଖାଯାଇଛି। କୌଣସି ସ୍ଥାନରେ ଏଭଳି ଘଟଣା ସାମ୍ନାକୁ ଆସିଲେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।