ଏକାଠି ହେଲେ ଭେଟେରାନ: ନୂଆ ରାଜନୀତିକ ମଞ୍ଚ ନେଇ ଚର୍ଚ୍ଚା!
ଭୁବନେଶ୍ୱର: ବିଜେପି ଯେତିକି ଆଗେଇବା କଥା ଆଗେଇ ପାରୁନି । ବିଜୁ ଜନତା ଦଳର ଭବିଷ୍ୟତ କ’ଣ ହେବ, ଦଳର ନେତୃତ୍ୱ କିଏ ନେବେ ତାହା ବି ସନେ୍ଦହ ଘେରରେ । ସେପଟେ କଂଗ୍ରେସର ଅବସ୍ଥା ନକହିଲେ ଭଲ । ନୂଆ ନୂଆ କରି ପିସିସି ସଭାପତି ଆସିଲେ ଦଳ ଏକାଠି ହୁଏ କିନ୍ତୁ ସମୟ ଯେତେ ଗଡ଼ିଚାଲେ କଂଗ୍ରେସରେ ଫାଟ ସେତେ ବଢ଼ିବାର ବି ଗଦାଗଦା ନଜିର ରହିଛି । ଯାହାକୁ ନେଇ ପୁଣି ନୂଆ ଆଞ୍ଚଳିକ ଦଳ ଚର୍ଚ୍ଚାଟି କଡ଼ ଲେଉଟାଇଛି । ଏଭଳି ସମୟରେ ଓଳାଶୁଣୀ ଠାରେ ଭେଟେରାନ୍ ନେତାଙ୍କ ମେଳିକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଆଜି ଓଳାଶୁଣୀରେ ପ୍ରାୟ ୩ ଶହ ନେତା ମେଳ ହୋଇଥିଲେ । ସରପଞ୍ଚ, ଜିଲ୍ଲାପରିଷଦ ଓ ବ୍ଳକ ଅଧ୍ୟକ୍ଷଙ୍କ ଭଳି ନେତାମାନେ ସାମିଲ୍ ହୋଇଥିଲେ । ଭୋଜିଭାତ ଆଳରେ ଆୟୋଜିତ ଏହି ବୈଠକରେ ଅମର ପ୍ରସାଦ ଶତପଥି, ସୌମ୍ୟରଞ୍ଜନ ପଟ୍ଟନାୟକ, ରାମଚନ୍ଦ୍ର ହାଁସଦା, ରବି ନାରାୟଣ ପାଣି, ପ୍ରଭାତ ତ୍ରିପାଠୀ, ପ୍ରସନ୍ନ ପାଟ୍ଟଶାଣୀ, ଅସିତ୍ ପଟ୍ଟନାୟକଙ୍କ ଭଳି ଭେଟେରାନ୍ ନେତାମାନେ ବି ଥିଲେ । ବୈଠକରେ ସୌମ୍ୟରଞ୍ଜନ ନୂଆ ଆଞ୍ଚଳିକ ଦଳ କଥା ଉଠାଇଥିବା ଜାଣିବାକୁ ମିଳିଛି । ସେହିପରି ବିଜେପି କିଭଳି ପରିବର୍ତ୍ତନର ନାରା ଦେଇ ସରକାରକୁ ଆସିଥିଲେବି କାର୍ଯ୍ୟରେ ବିଫଳ ହୋଇଛି ସେନେଇ ଅମର ଶତପଥି ମତବ୍ୟକ୍ତ କରିଥିଲେ । କେତେକ ନେତା ନୂଆ ରାଜନୀତିକ ଦଳ ସଫଳ ହେବବୋଲି ନିଜ ନିଜ ଢଙ୍ଗରେ ଯୁକ୍ତି ଉପସ୍ଥାପନ କରିଥିଲେ । ଆଜିର ଏହି ବୈଠକରେ ଦିଲ୍ଲୀପ ରାୟ ଆସିନଥିଲେବି ତାଙ୍କର ଅନେକ ଅନୁଗତଙ୍କୁ ଦେଖିବାକୁ ମିଳିଥିଲା । ତେବେ ବିଜୟ ମହାପାତ୍ର ବୈଠକକୁ ଆସିବାକୁ ମନା କରିଦେଇଥିବା କୁହାଯାଉଛି । ଯଦି କିଛି ନୂଆ ରାଜନୀତିକ ଦଳ ଗଢ଼ା ହୁଏ ବା କଥା ଆଗାଏ ତେବେ ଯାଇ ସେ ଆଲୋଚନା କରିବାକୁ ଯିବେ । ଅତୀତରେ ଅନେକ ବାର ଆଞ୍ଚଳିକ ଦଳ ଗଢ଼ିବାକୁ ଚର୍ଚ୍ଚା ହେଉଥିଲେବି ତାହା ସଫଳ ହୋଇନାହିଁ । ଯେଉଁସବୁ ଆଞ୍ଚଳିକ ଦଳ ଗଢ଼ାଯାଇଥିଲା ତାହାବି ଅଳ୍ପ ସମୟ ଭିତରେ ରାଜନୀତିକ ସମାଧି ନେଇଥିଲା । ସେଥିପାଇଁ ବିଜୟ ଭୋଜିଭାତ ଆସରକୁ ଯିବାପାଇଁ ଆଗ୍ରହ ପ୍ରକାଶ କରିନଥିବା କୁହାଯାଉଛି ।