ନିଲାମରେ ଭାଗ ନେବାକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି ; ଭାରତରେ ହୋଇପାରେ ରାଜ୍ୟଗୋଷ୍ଠୀ କ୍ରୀଡା-୨୦୩୦

ନିଲାମରେ ଭାଗ ନେବାକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି ; ଭାରତରେ ହୋଇପାରେ ରାଜ୍ୟଗୋଷ୍ଠୀ କ୍ରୀଡା-୨୦୩୦

ଭୁବନେଶ୍ୱର : ଭାରତରେ ହୋଇପାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୩୦ । ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୩୦ ନିଲାମୀରେ ଭାଗନେବ ଭାରତ । ଏଥିପାଇଁ ମିଳିଛି କ୍ୟାବିନେଟ ମଞ୍ଜୁରୀ ।୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା (ସିଡବ୍ଲୁଜି) ଆୟୋଜନ ପାଇଁ ଭାରତ ନିଲାମୀରେ ଭାଗ ନେବ ଏବଂ ଏଥିପାଇଁ ବିଡ୍‌ ଦାଖଲ କରିବ  । ଏ ସଂକ୍ରାନ୍ତରେ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟର ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ମଞ୍ଜୁର କରାଯାଇଛି  । ଏହା ସହିତ ସମ୍ପୃକ୍ତ ମନ୍ତ୍ରଣାଳୟ, ବିଭାଗ ଏବଂ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକ ଗ୍ୟାରେଣ୍ଟି ସହିତ ଆୟୋଜକ ସହଯୋଗ ଚୁକ୍ତିନାମା (ଏଚସିଏ) ସ୍ୱାକ୍ଷର କରିବାକୁ କ୍ୟାବିନେଟ୍‌ ଅନୁମୋଦନ ପ୍ରଦାନ କରିଛି  । ଭାରତର ବିଡ୍‌ ବା ଆୟୋଜନ ପ୍ରସ୍ତାବ ଗୃହୀତ ହେଲେ ଗୁଜରାଟ ସରକାରଙ୍କୁ ଆବଶ୍ୟକ ଅନୁଦାନ ସହାୟତା ମଞ୍ଜୁର କରିବାକୁ ମଧ୍ୟ ଅନୁମୋଦନ ମିଳିଛି । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୭୨ଟି ଦେଶର ଖେଳାଳି ଅଂଶଗ୍ରହଣ କରିବେ । କ୍ରୀଡ଼ା ସମୟରେ ଭାରତ ଗସ୍ତରେ ଆସୁଥିବା ବହୁ ସଂଖ୍ୟକ ଖେଳାଳି, ପ୍ରଶିକ୍ଷକ, ବୈଷୟିକ ଅଧିକାରୀ, ପର୍ଯ୍ୟଟକ, ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଭାରତ ଆସିବେ  । ଏହା ସ୍ଥାନୀୟ ବ୍ୟବସାୟକୁ ଲାଭ ପହଞ୍ଚାଇବ ଏବଂ ରାଜସ୍ୱ ସୃଷ୍ଟି କରିବ । ବିଶ୍ୱସ୍ତରୀୟ ଷ୍ଟାଡିୟମ, ଅତ୍ୟାଧୁନିକ ପ୍ରଶିକ୍ଷଣ ସୁବିଧା ଏବଂ ଏକ ଉତ୍ସାହୀ  ଖେଳ ସଂସ୍କୃତି ଥିବା ଦୃଷ୍ଟିରୁ ରାଜ୍ୟ ଗୋଷ୍ଠୀ କ୍ରଡା ଆୟୋଜନ ଲାଗି ଅହମ୍ମଦାବାଦ ଏକ ଆଦର୍ଶ ସହର ଭାବେ ପ୍ରସ୍ତୁତ ରହିଛି  । ବିଶ୍ୱର ସର୍ବବୃହତ ଷ୍ଟାଡିୟମ୍‌, ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ ୨୦୩୦ ଆଇସିସି କ୍ରିକେଟ୍‌ ବିଶ୍ୱକପ୍‌ ଫାଇନାଲ୍‌ ସଫଳତାର ସହିତ ଆୟୋଜନ କରି ଏହାର କ୍ଷମତା ପ୍ରଦର୍ଶନ କରିସାରିଛି । କ୍ରୀଡା ବ୍ୟତୀତ, ଭାରତରେ ରାଜ୍ୟ ଗୋଷ୍ଠୀ କ୍ରୀଡା ଆୟୋଜନ ପର୍ଯ୍ୟଟନକୁ ବୃଦ୍ଧି କରିବା, ନିଯୁକ୍ତି ସୃଷ୍ଟି କରିବା ଏବଂ ଲକ୍ଷ ଲକ୍ଷ ଯୁବ ଖେଳାଳିଙ୍କୁ ପ୍ରେରଣା ଦେବାରେ ଏକ ଦୀର୍ଘସ୍ଥାୟୀ ପ୍ରଭାବ ପକାଇବ । ଏହାବ୍ୟତୀତ, କ୍ରୀଡା ବିଜ୍ଞାନ, ଇଭେଣ୍ଟ ଅପରେସନ୍ସ ଓ ପରିଚାଳନା, ଲଜିଷ୍ଟିକ୍ସ ଓ ପରିବହନ ସଂଯୋଜକ, ପ୍ରସାରଣ ଓ ଗଣମାଧ୍ୟମ, ଆଇଟି ଓ ଯୋଗାଯୋଗ, ଲୋକସମ୍ପର୍କ ଓ ଯୋଗାଯୋଗ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ବହୁ ସଂଖ୍ୟକ ବୃତ୍ତିଗତ ସୁଯୋଗ ପାଇବେ ।