ଅପରାଜିତା - ଉତ୍ତମଙ୍କ ଲଭଷ୍ଟୋରୀ

ଅପରାଜିତା - ଉତ୍ତମଙ୍କ ଲଭଷ୍ଟୋରୀ

ଭୁବନେଶ୍ୱର:  ଆମ ଗହଣରେ ନାହାଁନ୍ତି ଓଡି଼ଆ ଅଭିନେତା ଉତ୍ତମ ମହାନ୍ତି। ନବେ ଦଶକର ଏହି ଅଭିନେତାଙ୍କ ଚିକିତ୍ସାଧିନ ଅବସ୍ଥାରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ମୃତ୍ୟୁ ଘଟିଛି। ତାଙ୍କ ଦେହାନ୍ତରେ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟେ ଉତ୍ତମଙ୍କ ମୃତ୍ୟୁକୁ ନେଇ ଭାଙ୍ଗିପଡିଛନ୍ତି ସ୍ତ୍ରୀ ଅପରାଜିତା ମହାନ୍ତି। ନିଜ ଜୀବନସାଥୀକୁ ଏତେ ଶୀଘ୍ର ହରାଇବେ ବୋଲି ସେ ଭାବିନଥିଲେ। ଏହି ଷ୍ଟାର୍‌ କପଲଙ୍କ ଲଭଷ୍ଟୋରୀ ଆଜିବି ଖୁବ ଚର୍ଚ୍ଚାରେ। ତେବେ ଆସନ୍ତୁ ଜାଣିବା କେମିତି ଆରମ୍ଭ ହୋଇଥିଲା ଉତ୍ତମ -ଅପରାଜିତାଙ୍କ ଲଭଷ୍ଟୋରୀ।

୧୯୮୨ରେ ରିଲିଜ ହୋଇଥିବା ଓଡି଼ଆ ଫିଲ୍ମ ‘ଅସ୍ତରାଗ’ ଶଟିଂ ସେଟ୍‌ରେ ପ୍ରଥମେ ଅପରାଜିତାଙ୍କୁ ଦେଖିଥିଲେ ଉତ୍ତମ। ପରେ ଉତ୍ତମ ଶୁଟିଂ ସେଟ ରୁ ଫେରି ଅପରାଜିତାଙ୍କୁ ଭଲ ପାଉଥିବା କଥା ନିଜ ମାଆଙ୍କୁ କହିଥିଲେ। କିନ୍ତୁ ଅପରାଜିତାଙ୍କ ମନ ଜିଣିବା ଏତେ ସହଜ ନଥିଲା। ଅପରାଜିତାଙ୍କୁ ନିଜ ମନର କଥା କହିବାକୁ ଉତ୍ତମଙ୍କୁ ୫ ବର୍ଷ ସମୟ ଲାଗିଥିଲା। ଉଭୟ ଦୀର୍ଘଦିନ ଧରି ପରସ୍ପରଙ୍କୁ ଡେଟ କରିଥିଲେ। କିନ୍ତୁ ଅପରାଜିତାଙ୍କୁ କେବେବି ସେ ଆଇ ଲଭ ୟୁ କହି ନଥିଲେ। ବରଂ ସିଧାସଳଖ ବିବାହ ପ୍ରସ୍ତାବ ଦେଇଥିଲେ। ଯାହାପରେ ଅପରାଜିତା ରାଜି ହୋଇଥିଲେ।

ଅନ୍ୟପଟେ ଅପରାଜିତାଙ୍କ ହିନ୍ଦୁ ହୋଇ ନ ଥିବାରୁ ବିବାହରେ ବହୁ ବିବାଦ ଦେଖାଦେଇଥିଲା। ହେଲେ ସମାଜକୁ ଖାତିର ନ କରି ୧୯୮୭ ରେ ହିନ୍ଦୁ ରିତିନୀତିରେ ବିବାହ କରିଥିଲେ ଉତ୍ତମ। ବିବାହର ୨ ବର୍ଷ ପରେ ଅର୍ଥାତ୍‌ ୧୯୮୯ରେ ଉତ୍ତମ ଆଉ ଅପରାଜିତାଙ୍କ କୋଳକୁ ଆସିଥିଲେ ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି । ଓଡ଼ିଆ ସିନେମାର ପ୍ରଥମ ସୁପରଷ୍ଟାର ଉତ୍ତମ ମହାନ୍ତି ଆଉ ନାହାନ୍ତି। ସମଗ୍ର ଓଡ଼ିଶା, ବିଶ୍ୱବ୍ୟାପୀ ତାଙ୍କ ପ୍ରଶଂସକ, ପରିବାର, ଶୁଭେଚ୍ଛୁ ଏବଂ ସର୍ବୋପରି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ସମ୍ପ୍ରଦାୟ ଓଡ଼ିଆ ଚଳଚ୍ଚିତ୍ରର ଏହି ସୁପରଷ୍ଟାରଙ୍କୁ ମନେ ପକାଉଛନ୍ତି।ଉତ୍ତମ ମହାନ୍ତିଙ୍କ ନାମରେ ଅନେକ ବ୍ଲକବଷ୍ଟର ଓଡ଼ିଆ ଚଳଚ୍ଚିତ୍ର ଅଛି। ସେ ଓଡ଼ିଆ, ୩୦ ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମା ସମେତ ପ୍ରାୟ ୧୩୫ ଟି ଚଳଚ୍ଚିତ୍ରରେ ଅଭିନୟ କରିଥିବା ବେଳେ, ସେ କିଛି ଟିଭି ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି। ମହାନ୍ତି ତାଙ୍କ ବଳିଷ୍ଠ ଅଭିନୟ ପାଇଁ ଅନେକ ପୁରସ୍କାର ଜିତିଛନ୍ତି। ଉତ୍ତମ ମହାନ୍ତି ଏକମାତ୍ର ଓଡ଼ିଆ ଅଭିନେତା ଥିଲେ ଯିଏ ୧୯୮୨, ୧୯୮୩ ଏବଂ ୧୯୮୪ ରେ ଲଗାତାର ତିନି ବର୍ଷ ରାଜ୍ୟ ସରକାରଙ୍କଠାରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ। ୧୯୯୯ରେ, ତାଙ୍କୁ ପ୍ରତିଷ୍ଠିତ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।