ବୋମାମାଡରେ ୪ ଆହତ, ୧ ଗୁରୁତର

 ପିପିଲି : ପିପିଲିରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  । ପାଲି ଖେଳକୁ ନେଇ ହୋଇଛି ବୋମାମାଡ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମେଳଣର ଶେଷ ରାତିରେ ପାଲିଖେଳ ହୋଇଥାଏ  । କିନ୍ତୁ ପ୍ରତି ବର୍ଷ ଯେଉଁ ବ୍ୟକ୍ତି ପାଲି ଖେଳ କରିଥାନ୍ତି ସେ ଚଳିତ ବର୍ଷ ପାଲି ଖେଳ କରିବା ପାଇଁ ସୁଯୋଗ ପାଇଲେ ନାହିଁ  । ଯାହାକୁ ନେଇ ଗ୍ରାମରେ ବିବାଦ ଦେଖା ଦେଇଥିଲା । ଗତକାଲି ରାତ୍ର ପ୍ରାୟ ୩ ଟା ସମୟରେ ବର୍ଷା ଯୋଗୁଁ ଯାତ୍ରା ବନ୍ଦ ହୋଇଯିବା ପରେ ବିବାଦ ଉଗ୍ରରୂପ ନେଇଥିଲା । ସଂଗ୍ରାମ ନାୟକ ଯାତ୍ରା ହୋଇଥିବା ସ୍ଥାନକୁ ଆସି ପାଟିତୁଣ୍ଡ କରିବା ସହିତ ବୋମାମାଡ କରିଥିବାର ଗ୍ରାମବାସୀଙ୍କ ପକ୍ଷରୁ ଭାଗିରଥୀ ବିଶ୍ୱାଳ ପିପିଲି ଥାନାରେ ଅଭିଯୋଗ କରିଛନ୍ତି  । ଅଭିଯୋଗରେ ପାଲିଖେଳ ସମ୍ପର୍କରେ ଉଲ୍ଲେଖ କରାଯାଇ ନଥିଲେ ମଧ୍ୟ ସ୍ଥାନୀୟ ଲୋକ ପାଲିଖେଳକୁ ବନ୍ଦ କରାଯିବା ହେତୁ ବିବାଦ ଦେଖାଦେଇଥିବା କହିଛନ୍ତି । ବୋମାମାଡ ଘଟଣାରେ ଗ୍ରାମର ତିନି ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି  । ଆହାତମାନେ ହେଲେ ଭାଗିରଥି ବିଶ୍ୱାଳ ଧନେଶ୍ୱର ବିଶ୍ୱାଳ ରାଜ କିଶୋର ନାୟକ ଏବଂ ଚନ୍ଦନ ନାୟକ । ରାଜ କିଶୋର ଭୂବନେଶ୍ୱର ସ୍ଥିତ ଏମସରେ ଚିକିସôିତ ହେଉଥିବାବେଳେ ଅନ୍ୟମାନେ ମଙ୍ଗଳପୁର ସ୍ୱାସ୍ଥ୍ୟକେନ୍ଦ୍ରରୁ ଚିକିସôିତ ହୋଇ ଘରକୁ ଫେରିଛନ୍ତି  । 
ଏ ସମ୍ପର୍କରେ ଗ୍ରାମବାସୀମାନେ ପିପିଲି ଥାନାରେ ଅଭିଯୋଗ କରିବା ପରେ ପିପିଲି ଥାନା ଅଧିକାରୀ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହିତ ଅଭିଯୁକ୍ତ ସଂଗ୍ରାମକୁ ଗିରଫ କରିଛି  । ତା ପାଖରୁ ଦୁଇଟି ଅଫୁଟା ବୋମା ଜବତ କରାଯାଇଛି । ପୁରୀରୁ ସାଇଣ୍ଟିଫିକ ଟିମ ଏବଂ ବୋମା ନିଷ୍କ୍ରିୟ ଦଳ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି । ତେବେ ପୂର୍ବ ଶତୃତାକୁ କେନ୍ଦ୍ର କରି ଅଭିଯୁକ୍ତ ସଂଗ୍ରାମକୁ ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ  ମରିବାପାଇଁ ଆସିଥିବାର ଖବର ପାଇ ବୋମା ମାଡ କରିଥିବାର ଥାନା ଅଧିକାରୀ କହିଛନ୍ତି  । ଏହି ଘଟଣାରେ ଆଉ ଯେଉଁମାନେ ସମ୍ପୃକ୍ତ ରହିଛନ୍ତି ସେମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ କହିଛନ୍ତି  ।