୨୧ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ : ୩ ଗିରଫ

ବଲାଙ୍ଗୀର:  ବଲାଙ୍ଗୀର ଅବକାରୀ ଟିମ୍‌ ଶୁକ୍ରବାର ୨ କୁଇଣ୍ଟାଲ ୧୦ କେଜି ଓଜନର ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୧ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏକ ଇନୋଭା ଗାଡ଼ିରେ ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ବଲାଙ୍ଗୀର କଦମପଡ଼ା ରେଲଓ୍ବେ ଅଣ୍ଡରବ୍ରିଜ୍‌ ନିକଟରେ ଅବକାରୀ ଟିମ୍‌ ଏହି ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ସେଥିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଫୁଲବାଣୀ-ବୌଦ୍ଧ ମାତାକୁପା ଜଙ୍ଗଲ ଅଞ୍ଚଳରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡ଼ିଛ। ଉତ୍ତରପ୍ରଦେଶ ଜୋନପୁର ଜିଲାର ତିନିଜଣ ଅଭିଯୁକ୍ତ ଚନ୍ଦ୍ରକେଶ ଯାଦବ, ମୂଲଚାନ୍ଦ ଯାଦବ ଓ ସକିଲ ଅହମ୍ମଦଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ବଲାଙ୍ଗୀର ଅବକାରୀ ଅଧୀକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନେତୃତ୍ୱରେ ମୋବାଇଲ ଟିମ୍‌ ଏହି ଗଞ୍ଜେଇ ଜବତ କରିଥିଲେ। ଅବକାରୀ ବିଭାଗ ଇନୋଭା ଗାଡ଼ିକୁ ଜବତ କରିଛି।