ଯାନ୍ତ୍ରିକ ମହାବିଦ୍ୟାଳୟରେ ରାଗିଂ, ଛାତ୍ର ଗିରଫ
କେନ୍ଦୁଝର: କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରେ ଜଣେ ଜୁନିୟର ଛାତ୍ରଙ୍କୁ ରାଗିଂ ଅଭିଯୋଗରେ ୫ ଜଣ ସିନିୟର ଛାତ୍ରଙ୍କୁ ଗିରଫ କରିଛି ଟାଉନ ଥାନା ପୁଲିସ। ଏହା ସହିତ କଲେଜ କର୍ତ୍ତୃପକ୍ଷ ସେମାନଙ୍କୁ ୧ ବର୍ଷ ପାଇଁ ବାସନ୍ଦ କରିଛନ୍ତି। ଦ୍ୱିତୀୟ ବର୍ଷର ଜଣେ ଛାତ୍ରଙ୍କୁ ଗତକାଲି ରାତିରେ ତୃତୀୟ ବର୍ଷର ୫ ଜଣ ଛାତ୍ର ଠେଙ୍ଗା ଓ ରଡ୍ରେ ଆକ୍ରମଣ କରିଥିଲେ। ରାତି ପ୍ରାୟ ୨ଟା ୪୫ରେ ଏହି ଘଟଣା ଘଟିଥିଲା। ଦ୍ୱିତୀୟ ବର୍ଷର ଛାତ୍ର ଜଣଙ୍କ ହଷ୍ଟେଲରେ ତାଙ୍କ ରୁମ୍ରେ ଶୋଇଥିବା ବେଳେ ଏହି ୫ ଛାତ୍ର ତାଙ୍କୁ ଆକ୍ରମଣ କରିଥିଲେ। ଅଭିଯୁକ୍ତମାନେ ରୁମ୍ର କବାଟ ଭାଙ୍ଗି ଭିତରେ ପଶିଥିଲେ ଓ ଠେଙ୍ଗା ଏବଂ ଲୁହା ରଡ୍ରେ ତାଙ୍କୁ ଆକ୍ରମଣ କରିଥିଲେ। ସେ ପିନ୍ଧିଥିବା ସୁନା ମୁଦିକୁ ମଧ୍ୟ ଅଭିଯୁକ୍ତମାନେ ନେଇଯାଇଥିଲେ। ଅଚେତ ଅବସ୍ଥାରେ ପଡ଼ିଥିବା ଦ୍ୱିତୀୟ ବର୍ଷର ଛାତ୍ର ଜଣଙ୍କୁ ତାଙ୍କର ସାଙ୍ଗମାନେ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।