କାଟିଥିଲେ ପ୍ରାଇଭେଟ୍ ପାର୍ଟ: ୬ ପୋଲିସ କର୍ମୀ ଗିରଫ
ନୂଆଦିଲ୍ଲୀ: ଦୁଇ ବର୍ଷ ପୂର୍ବେ ଜଣେ ପୋଲିସ କନଷ୍ଟେବଳ ଖୁର୍ସିଦ ଅହମ୍ମଦ ଚୌହାନଙ୍କୁ ଜେଲରେ ଅମାନବୀୟ ନିର୍ଯାତନା ଦିଆଯାଇଥିଲା। ଏହି ଅଭିଯୋଗରେ ବର୍ତ୍ତମାନ ସିବିଆଇ ଛଅ ଜଣ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ଗିରଫ କରିଛି। ଏହି ଘଟଣାଟି ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାର ଜଣାପଡିଛି।
ଏଥିରେ ଜଣେ ଡିଏସପି ଏବଂ ଜଣେ ସବ୍-ଇନ୍ସପେକ୍ଟର ସାମିଲ ଅଛନ୍ତି। ଚଳିତ ବର୍ଷ ଜୁଲାଇରେ, ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ପୀଡିତ ପୋଲିସ କନଷ୍ଟେବଳ ଚୌହାନଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସିବିଆଇକୁ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲା।ଏହି ମାମଲାରେ ଆବଶ୍ୟକୀୟ ପ୍ରମାଣ ସଂଗ୍ରହ କରିଥିଲା ସିବିଆଇ। ଏହାପରେ ଅଭିଯୁକ୍ତ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ସିବିଆଇ ଗିରଫ କରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ, ସିବିଆଇ ୨୮ ଜୁଲାଇରେ ଏକ ଏଫଆଇଆର ଦାଖଲ କରିଥିଲା।
ଏହି FIRରେ ଡିଏସପି ଏଜାଜ୍ ଅହମ୍ମଦ ନାଇକୁ, ସବ୍ ଇନ୍ସପେକ୍ଟର ରିଆଜ୍ ଅହମ୍ମଦ ଏବଂ ଚାରି ଜଣ କନେଷ୍ଟବଳ ଜାହାଙ୍ଗୀର ଅହମ୍ମଦ, ଇମତିଆଜ୍ ଅହମ୍ମଦ, ମହମ୍ମଦ ୟୁନିସ୍ ଏବଂ ଶାକିର ଅହମ୍ମଦଙ୍କ ନାମ ନିଆଯାଇଥିଲା।ସେମାନେ କନେଷ୍ଟବଳ ଖୁର୍ସିଦ୍ ଅହମ୍ମଦ ଚୌହାନଙ୍କୁ ଛଅ ଦିନ ପାଇଁ ହାଜତରେ ରଖିଥିଲେ। ଏଥିସହ ତାଙ୍କୁ ନିଷ୍ଠୁର ଏବଂ ଅମାନବୀୟ ନିର୍ଯାତନା ଦେଇଥିଲେ ବୋଲି ଅଭିଯୋଗ ହୋଇଛି।ମାମଲାଟି ଫେବୃଆରୀ 2023ର। ଉତ୍ତର କାଶ୍ମୀରରେ ପୋଲିସ ଦ୍ୱାରା ଏକ Narco Terror Module ଭାଙ୍ଗିବା ସହ ଜଡିତ ଏହି ମାମଲା। ମଡ୍ୟୁଲର ଅନ୍ୟ ସଦସ୍ୟଙ୍କ ପଚରାଉଚରା ଆଧାରରେ ପୋଲିସ କନେଷ୍ଟବଳ ଖୁର୍ସିଦ୍ ଅହମ୍ମଦଙ୍କୁ ଗିରଫ କରିଥିଲା।କନେଷ୍ଟବଳ ଅଭିଯୋଗ କରିଥିଲେ ଯେ, ତାଙ୍କୁ ଜେଲରେ ଅପରାଧ ସ୍ୱୀକାର କରିବା ପାଇଁ ନିର୍ଯାତନା ଦିଆଯାଇଥିଲା ଏବଂ ତାଙ୍କର ଗୁପ୍ତାଙ୍ଗ କାଟି ଦିଆଯାଇଥିଲା। ତାଙ୍କୁ କୁପୱାଡ଼ା ଜେଆଇସିରେ ନିର୍ଯାତନା ଦିଆଯାଇଥିଲା।
ଏହି ମାମଲାରେ, ପୀଡିତାଙ୍କ ସ୍ତ୍ରୀ ପ୍ରଥମେ କୁପୱାଡ଼ାରେ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ଏହା ପରେ ଜମ୍ମୁ-କାଶ୍ମୀର ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ।ଶେଷରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସିବିଆଇକୁ ତଦନ୍ତ ହସ୍ତାନ୍ତର କରିବା ସମୟରେ, ସୁପ୍ରିମକୋର୍ଟ ଟିପ୍ପଣୀ ଦେଇଥିଲେ ଯେ, ନାଗରିକଙ୍କ ମୌଳିକ ଅଧିକାରକୁ ସୁରକ୍ଷା ଦେବାରେ ହାଇକୋର୍ଟ ଏକ ବଡ଼ ଭୁଲ କରିଛନ୍ତି।