୮ମ କେନ୍ଦ୍ରୀୟ ବେତନ ଆୟୋଗକୁ ଅନୁମୋଦନ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସନ୍ଦର୍ଭ ସର୍ତ୍ତାବଳୀକୁ ମଞ୍ଜୁରି ମିଳିଛି । ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ଏକ ଅସ୍ଥାୟୀ ସଂସ୍ଥା ରୂପେ ଗଠିତ ହେବ । ଆୟୋଗରେ ଜଣେ ଅଧ୍ୟକ୍ଷ, ଜଣେ ସଦସ୍ୟ (ଅସ୍ଥାୟୀ) ଏବଂ ଜଣେ ସଦସ୍ୟ-ସଚିବ ରହିବେ । ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଗଠିତ ଦରମା ପ୍ୟାନେଲ୍ ଗଠନ ତାରିଖର ୧୮ ମାସ ମଧ୍ୟରେ ସୁପାରିଶ କରିବେ ଏବଂ ସରକାରଙ୍କୁ ଏକ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦାଖଲ କରିବେ । ଦରମା ପ୍ୟାନେଲର ସୁପାରିଶଗୁଡ଼ିକ ପ୍ରାୟ ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୯ ଲକ୍ଷ ପେନସନ୍ଭୋଗୀଙ୍କୁ ଉପକୃତ କରିବ ।
ଆଇଆଇଏମ (ବାଙ୍ଗାଲୋର) ପ୍ରଫେସର ପୁଲକ ଘୋଷଙ୍କୁ ଅଂଶକାଳୀନ ସଦସ୍ୟ ଭାବରେ ନାମିତ କରାଯାଇଛି, ଯେତେବେଳେ ପେଟ୍ରୋଲିୟମ୍ ସଚିବ ପଙ୍କଜ ଜୈନ ସଦସ୍ୟ ସଚିବ ହେବେ । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାରିଶ୍ରମିକ ଢାଞ୍ଚା, ଅବସରକାଳୀନ ସୁବିଧା ଏବଂ ଅନ୍ୟାନ୍ୟ ସେବା ସର୍ତ୍ତାବଳୀ ଆଦି ବିଭିନ୍ନ ପ୍ରସଙ୍ଗରେ ଅନୁଧ୍ୟାନ କରିବା ଏବଂ ସେଗୁଡ଼ିକରେ ଆବଶ୍ୟକ ପରିବର୍ତ୍ତନ ସଂକ୍ରାନ୍ତରେ ସୁପାରିସ କରିବା ପାଇଁ କେନ୍ଦ୍ରୀୟ ବେତନ ଆୟୋଗ ନିୟମିତ ବ୍ୟବଧାନରେ ଗଠନ କରାଯାଇଥାଏ । ସାଧାରଣତଃ, ବେତନ ଆୟୋଗଙ୍କ ସୁପାରିସ ପ୍ରତି ଦଶ ବର୍ଷର ବ୍ୟବଧାନ ପରେ କାର୍ଯ୍ୟକାରୀ ହୋଇଥାଏ । ଏହି ଧାରାକୁ ଦୃଷ୍ଟିରେ ରଖି ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସୁପାରିସର ପ୍ରଭାବ ସାଧାରଣତଃ ୨୦୨୬ ଜାନୁଆରି ୧ ତାରିଖରୁ ଲାଗୁ ହେବ ବୋଲି ଆଶା କରାଯାଏ । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଏବଂ ଅନ୍ୟାନ୍ୟ ସୁବିଧାଗୁଡ଼ିକ ଅନୁଧ୍ୟାନ ଏବଂ ଆବଶ୍ୟକ ସୁପାରିସ କରିବା ପାଇଁ ସରକାର ୨୦୨୫ ଜାନୁଆରିରେ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ଗଠନ କରିବାକୁ ଘୋଷଣା କରିଥିଲେ ।