ବିବାଦରେ ଶିଶୁ ଖାଦ୍ୟ
ବର୍ତ୍ତମାନ ବଜାରରେ ବିଭିନ୍ନ ପ୍ରକାରର ଶିଶୁଖାଦ୍ୟ ବିଭିନ୍ନ ପ୍ରକାରର ଦୋକାନରେ ମିଳୁଛି । ସେଥିମଧ୍ୟରୁ ଔଷଧ ଦୋକାନମାନଙ୍କରେ ଶିଶୁଖାଦ୍ୟ ବିକ୍ରିକୁ ନିଷିଦ୍ଧ କରାଯାଇଛି । ଏପରିକି ଔଷଧ ଦୋକାନମାନଙ୍କରେ ଗ୍ରାହକମାନଙ୍କର ଦେଖିବା ଭଳି ଔଷଧ ଥାକରେ ଶିଶୁ ଖାଦ୍ୟ ରଖାଯାଇପାରିବ ନାହିଁ ବୋଲି କଟକଣା ଜାରି କରାଯାଇଛି । ତେବେ ଶିଶୁଖାଦ୍ୟରେ ବିଭିନ୍ନ ବୟସର ଶିଶୁଙ୍କ ପାଇଁ ବିଭିନ୍ନ ପ୍ରକାରର ଶିଶୁଖାଦ୍ୟ ପ୍ରସ୍ତୁତ ହୋଇ ଡ଼ବାରେ ବିକ୍ରି ହେଉଛି । ବିଭିନ୍ନ କମ୍ପାନୀ ଏହି ଶିଶୁଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ସେଥିମଧ୍ୟରୁ ନେସ୍ଲେ କମ୍ପାନୀ ଶିଶୁମାନଙ୍କ ପାଇଁ ପ୍ରସ୍ତୁତ କରୁଥିବା ଶିଶୁଖାଦ୍ୟରେ ଚିନି ମିଶାଉଥିବାର ବର୍ତ୍ତମାନ ଅଭିଯୋଗ ଆସିଛି । ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ନେସ୍ଲେ କମ୍ପାନୀ ଶିଶୁମାନଙ୍କ ନିମିତ୍ତ ଖାଦ୍ୟ ପ୍ରସ୍ତୁତ କରି ବିକ୍ରି କରିଥାଏ । ଭାରତରେ ଏହି ଶିଶୁଖାଦ୍ୟ ସେରେଲାକ୍ ନାମରେ ବିକ୍ରି ହେଉଛି । ଛଅମାସର ଶିଶୁଙ୍କ ପାଇଁ ଡ଼ବାରେ ପ୍ରସ୍ତୁତ ହେଉଥିବା ଶିଶୁଖାଦ୍ୟ ବିକ୍ରି ହେବା ଏକ ସାଧାରଣ ଘଟଣା ହୋଇଥିଲେ ମଧ୍ୟ ପେଡ଼ିଆଟିକ୍ ଡ଼ାକ୍ତରମାନଙ୍କର ମତ ହେଲା ଯେ ମାଆ କ୍ଷୀର ହେଉଛି ନବଜାତକମାନଙ୍କ ପାଇଁ ସର୍ବୋତ୍ତମ ଖାଦ୍ୟ । କୌଣସି ପ୍ରକାରର ବାହାରର ଖାଦ୍ୟ ନବଜାତକମାନଙ୍କୁ ଦିଆଯିବା ଅନୁଚିତ୍ । ନବଜାତକମାନଙ୍କ ନିମିତ୍ତ ଖାଦ୍ୟ ପ୍ରସ୍ତୁତ କରୁଥିବା କମ୍ପାନୀମାନେ ଏହି ଖାଦ୍ୟ ଡ଼ବା ଉପରେ ମାଆ କ୍ଷୀର ଶିଶୁଙ୍କ ପାଇଁ ସର୍ବୋତ୍ତମ ଖାଦ୍ୟ ବୋଲି ନାମକୁ ମାତ୍ର ଲେଖି ଡ଼ବା ଭିତରେ ଥିବା ଖାଦ୍ୟର ପୁଷ୍ଟିକାରକ ଗୁଣର ଏକ ଲମ୍ବା ତାଲିକା ଛାପୁଛନ୍ତି । ଗହମ ଏବଂ ବାଜରାରୁ ପ୍ରସ୍ତୁତ ହେଉଥିବା ସେରେଲାକ୍ରେ ପ୍ରତି ଗ୍ରାମ୍ରେ ୨.୨ ଶତାଂଶ ଚିନି ମିଶାଯାଉଥିବା ଜଣାପଡ଼ିଛି । ଜର୍ମାନୀ, ୟୁକେ ଭଳି ରାଷ୍ଟ୍ରରେ ଶିଶୁଖାଦ୍ୟରେ ଚିନି ମିଶା ଯାଉନଥିବା ସ୍ଥଳେ ବାଂଲାଦେଶ, ଭାରତ, ପାକିସ୍ତାନ, ଦକ୍ଷିଣଆଫ୍ରିକା, ଇଥୋପିଆ, ଥାଇଲାଣ୍ଡ୍ ଆଦି ଦେଶରେ ଡ଼ବା ଶିଶୁଖାଦ୍ୟରେ ଚିନି ମିଶାଯାଉଛି । ଥାଇଲାଣ୍ଡରେ ସର୍ବାଧିକ ୬ ଶତାଂଶ ଚିନି ମିଶାଯାଉଥିବା ବେଳେ ବାଂଲାଦେଶରେ ୧.୬ ଶତାଂଶ, ଭାରତରେ ୨.୨ ଶତାଂଶ, ପାକିସ୍ତାନରେ ୨.୭ ଶତାଂଶ, ଦକ୍ଷିଣ ଆଫ୍ରିକାରେ ୪ ଶତାଂଶ, ଇଥୋପିଆରେ ୫.୨ ଶତାଂଶ ଚିନି ମିଶାଯାଉଛି । ସିଧାସଳଖ ଗହମ କିମ୍ବା ଜବରୁ ପ୍ରସ୍ତୁତ ହେଉଥିବା ଖାଦ୍ୟକୁ ଶିଶୁଙ୍କ ପାଇଁ ଦେବା ପରିବର୍ତ୍ତେ ସେଥିରେ ଚିନି ମିଶାଇ ଦେବା ଦ୍ୱାରା ପରବର୍ତ୍ତୀ ସମୟରେ ଶିଶୁମାନେ ଚିନି ନ ମିଶାଇଲେ କୌଣସି ଖାଦ୍ୟ ଖାଇବା ପାଇଁ ଆଗ୍ରହ ପ୍ରକାଶ କରନ୍ତି ନାହିଁ । ପ୍ରତିଥର ଶିଶୁଟିଏ ପେଟପୁରା ଖାଇଲା ଭଳି ଖାଇଲେ ସେଥିରେ ପାଖାପାଖି ୩ ଗ୍ରାମ ଚିନି ରହୁଛି । ନେସଲେ କମ୍ପାନୀ ବିଭିନ୍ନ ଦେଶର ଶିଶୁମାନଙ୍କ ପାଇଁ ଚିନି ମିଶ୍ରଣର ମାପଦଣ୍ଡକୁ ଭିନ୍ନ ଭିନ୍ନ କରିଛି ।
ଏହି କମ୍ପାନୀ ଅନୁସାରେ ବିଶ୍ୱର ସମସ୍ତ ଶିଶୁ ସମାନ ନୁହଁନ୍ତି । "ପବ୍ଲିକ୍ ଆଇ' ନାମକ ଏକ ସଂସ୍ଥା ପକ୍ଷରୁ ଏହାର ସର୍ଭେ କରାଯାଇଛି ଏବଂ ଶିଶୁଖାଦ୍ୟରେ ଚିନି ମିଶାଯିବାକୁ ନେଇ ଆପତ୍ତି ମଧ୍ୟ ଉଠାଯାଇଛି । ବିକଶିତ ରାଷ୍ଟ୍ର ଗୁଡ଼ିକରେ ଶିଶୁଖାଦ୍ୟରେ ଚିନି ମିଶାଯାଉନଥିବା ବେଳେ ବିକାଶୋନ୍ମୁଖୀ ଏବଂ ଦିରଦ୍ର ରାଷ୍ଟ୍ରରେ ଶିଶୁଖାଦ୍ୟରେ ଚିନି ମିଶାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଶିଶୁ ଖାଦ୍ୟରେ ଚିନି କିମ୍ବା କୌଣସି ମିଠା ଜିନିଷ ମିଶାଇବାକୁ ବାରଣ କରାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ କୌଣସି ପ୍ରକାରର ପାନୀୟରେ ଚିନି ମିଶାଇ ଶିଶୁଙ୍କୁ ଦେବା ପାଇଁ ବାରଣ କରୁଛି । ଛୋଟ ଶିଶୁଙ୍କୁ ଚିନି ମିଶାଇ ଖାଦ୍ୟ ଦେବା ଦ୍ୱାରା ଭବିଷ୍ୟତରେ ସେମାନେ ବିନା ଚିନିରେ କିଛି ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ନାହିଁ । ଏଭଳି ଏକ ଅଭ୍ୟାସ ଜୀବନସାରା ରହିଯାଏ । ଏହି ଅଭ୍ୟାସ ହେତୁ ମେଦ ବୃଦ୍ଧି, ଦୀର୍ଘସ୍ଥାୟୀ ରୋଗ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଛୋଟ ଛୁଆଙ୍କୁ ଚିନି ଦେବା ଅନୁଚିତ୍ ବୋଲି କୁହାଯାଇଛି । ଏବେ ଭାରତୀୟ ବଜାରରେ ଚିନି ମିଶ୍ରିତ ଶିଶୁ ଖାଦ୍ୟର ଭବିଷ୍ୟତ କଣ ହେବ ତାହା ଦେଖିବାକୁ ବାକି ରହିଲା ।