ସନ୍ତୋଷ ଓ ସୁଖ
ସଂସାରର ଜଞ୍ଜାଳରେ ମଣିଷଟି ଯେତେବେଳେ ଦୁଃଖକୁ ସାମ୍ନା କରେ ସଂସାରର ଜଞ୍ଜାଳରେ ଶରୀର ଯେତେବେଳେ ଅବଶ ହୋଇପଡ଼େ ଓ ମନରେ ପ୍ରବଳ ଉଦବେଗ ସୃଷ୍ଟି ହୁଏ ସେତେବେଳେ ନିଜ ଇଷ୍ଟ ବା ଠାକୁରଙ୍କ ସମ୍ମୁଖରେ ଛିଡ଼ା ହୋଇ ତାଙ୍କର ପାଦତଳେ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପଣ କରିଦିଏ । ଏହା କଲାଫଳରେ ତା ମନରେ ବିଶ୍ୱାସ ସୃଷ୍ଟି ହୁଏ ଏବଂ ନିଜକୁ ନିଜ କର୍ମକ୍ଷେତ୍ରରେ ପୁନର୍ବାର ବ୍ୟସ୍ତ କରିରଖିବାର ଶକ୍ତି ପାଇଥାଏ । ଏ ସଂସାର ହେଉଛି କ୍ଷଣସ୍ଥାୟୀ । ମାୟାର କବଳରେ ପଡ଼ି ଜୀବାତ୍ମା ନିଜର ଅସଲ ଲକ୍ଷ୍ୟକୁ ଭୁଲି ଯାଉଛି । ଅହଂ ଭାବରୁ ମୁକ୍ତ ଥିବା ସମୟରେ ଆମେ ଠାକୁରଙ୍କୁ ଧ୍ୟାନ କରିଥାଉ କିନ୍ତୁ ଅହଂକାର ଜାତ ହେବାମାତ୍ରେ ଆମେ ନିଜକୁ କର୍ତ୍ତା ଭାବି ଠାକୁରଙ୍କ ସ୍ଥିତିକୁ ଅବଜ୍ଞା କରିଥାଉ ।
ଜୀବନର ସୁଖଦୁଃଖ କର୍ମମୟ ଚେତନାକୁ ଭାବନା କଲାବେଳକୁ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁଙ୍କ କାଳଜୟୀ ଧାଡ଼ିଟି ମନେପଡ଼ୁଛି - "ବିପଦ ପ୍ରଭୁଙ୍କ କଷଟି ପାଶାଣ, ପରଖନ୍ତି ତହିଁ ନର ହୃଦ ଟାଣ । ବିଦ୍ଗଧ ହେଲେ ହେଁ ବିପଦ ଅନଳେ, ଭସ୍ମ ନୋହିଁ ଯେହ୍ନେ ଦାଉ ଦାଉ ଜଳେ ।' ଥରେ ସୁଖ ଏବଂ ସନ୍ତୋଷ ସମ୍ବନ୍ଧରେ କଥା ଉଠିଲା । ଶ୍ରୀ ଶ୍ରୀ ଠାକୁର ତାଙ୍କ ଦିବ୍ୟ ମାର୍ଗଦର୍ଶନରେ କହିଲେ - "ସୁଖ ଗୋଟିଏ ଜିନିଷ, ସନ୍ତୋଷ ଆଉ ଏକ ଜିନିଷ । ସୁଖ ନରହିଲେ ମଧ୍ୟ ମଣିଷର ସନ୍ତୋଷ ରହିପାରେ । ଆଉ ସନ୍ତୋଷ ଥିଲେ ସୁଖ ନରହିଲେ ବି ଖାପ ଖାଇଯାଏ ।' ଉଦାହରଣ ଦେଇ କହିଲେ,ଧର, ଜଣେ ମହତ ମଣିଷ । ସେ ହୁଏତ ତ୍ୟାଗ ଓ ଦୁଃଖର ଜୀବନକୁ (ବରଣ) କରି ନେଇଛି । ତଥାକଥିତ ସୁଖ, ସ୍ୱାଚ୍ଛନ୍ଦ୍ୟ ଯାହାକୁ କୁହାଯାଏ, ସେ ସବୁ ତାଙ୍କର ହୁଏତ ନାହିଁ, କିନ୍ତୁ ଅନ୍ତର ଭିତରେ ଅଛି ସନ୍ତୋଷ । ଏହି ସନ୍ତୋଷ ଯଦି ଥାଏ, ତାହାହେଲେ ତଥା କଥିତ ସୁଖ ନଥିଲେ ମଧ୍ୟ ତାହାର କୌଣସି ଦୁଃଖ ରହେ ନାହିଁ । ପୁଣି ତାହାର ସ୍ତ୍ରୀ, ପୁତ୍ର ଯେଉଁମାନେ, ସେମାନେ ଯଦି ତାକୁ ସତ୍ୟକାର ଭଲପାଆନ୍ତି, ତେବେ ସେ ଯେତେ ହିଁ (କଷ୍ଟ) କରୁନା କାହିଁକି, ଭିତରେ-ଭିତରେ (ସନ୍ତୁଷ୍ଟ) ଥାଏ । ଶ୍ରଦ୍ଧା ଓ ପ୍ରୀତିର ଲକ୍ଷଣ ହେଲା ପ୍ରିୟଙ୍କ ପାଇଁ ହସମୁଖରେ ଦୁଃଖ କଷ୍ଟକୁ ସହିନେଇ ପାରିବା । ପ୍ରିୟଙ୍କ ସମ୍ବନ୍ଧରେ ଯାହାର ଥାଏ ପୂର୍ଣ୍ଣ ପରିତୃପ୍ତି ଓ ଶ୍ରଦ୍ଧାବୋଧ, ତାହାର ସମ୍ବନ୍ଧରେ ଆଉ କୌଣସି ପ୍ରଶ୍ନ ନଥାଏ । ସୀତା, ଦମୟନ୍ତୀ, ଚିନ୍ତା ଏମାନେ ଥିଲେ ଏହି ଧରଣର । ଭକ୍ତକବି ମଧୁସୂଦନ ରାଓଙ୍କ ସ୍ମରଣୀୟ ବାଣୀଟି ଏଠାରେ ଉଲ୍ଲେଖ କରୁଛି - "ମୁକୁଟମଣ୍ଡିତ ରାଜଶିର, ନୁହଇ ଶାନ୍ତି ଆସ୍ପଦ, ଆଶଙ୍କା ଭୟ ବିପଦ, ନିରନ୍ତର ରାଜ ମନ କରଇ ଅସ୍ଥିର, ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକିର । ଏ ସଂସାରେ ନାହିଁ ସୁଖ ଶାନ୍ତି, ଅହଂକାର ଦ୍ୱେଶରୋଷ, ଲୋଭ,ମୋହ, ଅସନ୍ତୋଷ । ଦୁଷ୍ଟ ରିପୁ ଦଳ ଘୋର ଅନର୍ଥ ଘଟାନ୍ତି, ପାପାର ଭୀଷରାବର୍ତ୍ତେ ନରେ ନିକ୍ଷେପନ୍ତି ।'
ଅବିନାଶ ଷଡଙ୍ଗୀ, ଭୁବନେଶ୍ୱର