ଭ୍ରାତୃ ଦ୍ୱିତୀୟା
ଅଜୟ କୁମାର ବେହେରା : କାର୍ତ୍ତିକ ମାସର ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିକୁ କୁହାଯାଏ ଭ୍ରାତୃ ଦ୍ୱିତୀୟା ବା ଯମ ଦ୍ୱିତୀୟା । ରକ୍ଷା ବନ୍ଧନ ପର୍ବ ପରି ଏହି ଦିନଟି ସମର୍ପିତ ଭାଇ-ଭଉଣୀ ସମ୍ପର୍କର ବନ୍ଧନକୁ ଦୃଢ଼ କରିବା ପାଇଁ । ଭାଇର ଦୀର୍ଘ ନିରାମୟ ଜୀବନ କାମନା କରି ପ୍ରାର୍ଥନା କରନ୍ତି ଭଉଣୀ । ଭାଇଙ୍କୁ ମନ ପସନ୍ଦର ଖାଦ୍ୟ ପରଷନ୍ତି ଭଉଣୀମାନେ । ପୁଣି ମୁଣ୍ଡରେ ଟୀକା ଲଗାଇ ବନ୍ଦାପନା କରନ୍ତି ଏବଂ ବିଭିନ୍ନ ଉପହାର ପ୍ରଦାନ କରନ୍ତି । ପଶ୍ଚିମବଙ୍ଗରେ ଏହି ପର୍ବକୁ କହନ୍ତି ଭାଇ ଦୁଜ୍ ବା ଭାଇ ଫୁଟା, ମରାଠୀ ଓ କୋଙ୍କଣ ଭାଷାଭାଷୀଙ୍କ ପାଇଁ ଏହି ପର୍ବ ହେଉଛି ଭାଇ ବିଜ୍ ବା ଭାଉ ବିଜ୍ । ନେପାଳରେ ଏହାକୁ କହନ୍ତି ଭାଇ ଟୀକା । କଥିତ ଅଛି ଦୀପାବଳି ସମୟରେ ନରକାସୁରକୁ ବଧ କରିସାରି ଶ୍ରୀକୃଷ୍ଣ ତାଙ୍କ ଭଉଣୀ ସୁଭଦ୍ରାଙ୍କୁ ଭେଟିବାକୁ ଯାଇଥିଲେ । ସୁଭଦ୍ରା ତାଙ୍କ ଭାଇଙ୍କୁ ଭବ୍ୟ ସମ୍ବର୍ନ୍ଧନା ଜଣାଇବା ସହ କପାଳରେ ଟୀକା ପିନ୍ଧାଇ ସ୍ୱାଦିଷ୍ଟ ଭୋଜନ କରାଇଥିଲେ । ଏହି ଭାଇ-ଭଉଣୀ ସ୍ନେହର ପ୍ରତୀକ ହେଉଛି ଭ୍ରାତୃ ଦ୍ୱିତୀୟା । ପୁଣି ଅନ୍ୟ ଏକ କାହାଣୀ ଅନୁଯାୟୀ, ଯମରାଜ ଏହି ଦିନ ତାଙ୍କ ଭଉଣୀ ଯମୁନାଙ୍କୁ ଭେଟିଥିଲେ ଏବଂ ଯମୁନା ତାଙ୍କୁ ଭବ୍ୟ ସମ୍ବର୍ନ୍ଧନା ଜଣାଇଥିଲେ । ନେପାଳରେ ବିଜୟା ଦଶମୀ ପରେ ଭାଇ ଟୀକା ହେଉଛି ଏକ ପ୍ରମୁଖ ପର୍ବ । ଭାଇ କପାଳରେ ନାଲି ଟୀକା ପିନ୍ଧାଇ ଉପହାର ଦିଅନ୍ତି ଭଉଣୀ ।
ଆମ ଓଡ଼ିଆ ଚଳଣି ଓ ଲୋକବିଶ୍ୱାସରେ ଭ୍ରାତୃ ଦ୍ୱିତୀୟାର ସ୍ୱତନ୍ତ୍ରତା ଓଡ଼ିଶାର ପ୍ରାନ୍ତୀୟ ଅଞ୍ଚଳରେ କିଛିଟା ଦେଖିବାକୁ ମିଳେ । ଓଡ଼ିଶାରେ ରହୁଥିବା ଅନ୍ୟ ରାଜ୍ୟର ମହିଳାମାନେ ପାରମ୍ପରିକ ଭାବେ ଏହି ଦିବସଟିକୁ ଅତ୍ୟନ୍ତ ଭକ୍ତି ଓ ନୀତି, ରୀତି ସହ ପାଳନ କରିଥାନ୍ତି । ସେହିପରି ପଶ୍ଚିମାଞ୍ଚଳର କିଛି ସ୍ଥାନରେ ଏହି ଦିନଟିକୁ ବେଶ୍ ଜାକଜମକରେ ପାଳନ କରାଯାଏ । ବ୍ରତଚାରିଣୀ ମହିଳାମାନେ ଦେବାଳୟରେ ପୂଜା ପ୍ରାର୍ଥନା କରିବା ସହ ଛୋଟପିଲା ଓ ମହିଳା ମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରିବା ସହ କିଛି ସ୍ୱଚ୍ଛଳ ଘରର ମହିଳାମାନେ ନୂଆଲୁଗାପଟା ବଣ୍ଟନ କରିଥାନ୍ତି । ଓଡ଼ିଶା ଏପରି ଏକ ରାଜ୍ୟ ଏଠାରେ ବସବାସ କରୁଥିବା ଭାରତର ଯେ କୌଣସି ରାଜ୍ୟର ସ୍ୱତନ୍ତ୍ର ପୂଜା ହେଉ ବା ପାର୍ବଣ ଏଠାରେ ଆନନ୍ଦ ଉଲ୍ଲାସର ସହ ସେମାନେ ପାଳନ କରିବା ସହ ଓଡ଼ିଆଙ୍କ ସହ ଏହି ଦିବସଗୁଡ଼ିକୁ ବେଶ୍ ଖୁସି ଓ ଆନନ୍ଦ ଉଲ୍ଲାସ ସହ ପାଳନ କରିଥାନ୍ତି । ଏହା ହେଉଛି ଆମ ଉକ୍ରଳୀୟ ଆଧ୍ୟାତ୍ମିକ ପରମ୍ପରାର ଏକ ବିଶେଷତା । ପୁରୀ ଶ୍ରୀମନ୍ଦିରରେ ଏହି ଦିବସକୁ ସ୍ମରଣୀୟ କରି କେହି କେହି ମହାପ୍ରଭୁଙ୍କୁ ଦର୍ଶନ କରି ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିବା ସହ ଗରିବ ବ୍ରାହ୍ମଣ ମାନଙ୍କୁ ମହାପ୍ରସାଦ ବଣ୍ଟନ କରିଥାନ୍ତି ।
କଟକ