ମହାକୁମ୍ଭରେ ନାଗାସାଧୁ
ତ୍ରିନାଥ ଓଝା : ବିଶ୍ୱର ଭବ୍ୟ ଓ ସବୁଠାରୁ ବଡ଼ ଭାବେ ଆୟୋଜିତ ଧର୍ମୀୟ ସମାବେଶ କୁମ୍ଭମେଳା ବାସ୍ତବିକ ଅନେକଙ୍କ ପାଇଁ ଆଧ୍ୟାତ୍ମିକ ଉତ୍ସାହ ଓ ଉତ୍ସୁକତା ବଢ଼ାଇ ଦେଇଛି । ପ୍ରୟାଗରାଜର ମାଟି, ପାଣି, ପବନରେ ନିନାଦିତ ଓ ସ୍ପନ୍ଦିତ ହୋଇଉଠୁଛି ମହାକୁମ୍ଭର ଅମୃତ ବାସ୍ନା । ଏହି ମର୍ମରେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ସେହି କାଳଜୟୀ କବିତା "ଭାରତ ତୀର୍ଥର ପ୍ରଥମ ଧାଡ଼ି ମନେପଡ଼ିଯାଉଛି - "ହେ ମୋର ଚିତ୍ତ ପୂଣ୍ୟ ତୀର୍ଥେ ଜାଗରେ ଧୀରେ - ଏହି ଭାରତର ମହାମାନବର ସାଗର ତୀରେ / ଏଠି ଠିଆ ହୋଇ ଦି ବାହୁ ବଢ଼ାଇ ନମେ ନର ଦେବତାରେ / ଉଦାର ଛନେ୍ଦ ପରମାନନେ୍ଦ ବନ୍ଦନ କରିତାରେ ।' ଆଜିର ଏହି ଏକ ବିଂଶ ଶତାବ୍ଦୀରେ ମଣିଷ ବସ୍ତୁବାଦୀ ଓ ଚରମ ପ୍ରଯୁକ୍ତି ତନ୍ତ୍ରବାଦୀ ହୋଇପଡ଼ିଥିବାବେଳେ ପ୍ରୟାଗରାଜର ମହାକୁମ୍ଭ ଧର୍ମ, ଆଧ୍ୟାତ୍ମିକତା ଓ ମାନବିକତାର ଅନ୍ତରଙ୍ଗତାର ମହାସଙ୍ଗମକୁ ପ୍ରତୀୟମାନ କରୁଛି । ପୂଣ୍ୟତୋୟା ଗଙ୍ଗା, ଯମୁନା ଓ ଅନ୍ତଃସ୍ରୋତା ସରସ୍ୱତୀଙ୍କ ପାବନ ମିଳନ ସ୍ଥଳୀ ପାଲଟି ଯାଇଛି ଉତ୍ତରିତ ଚେତନା ସ୍ପନ୍ଦିତ ଭାବମହୋଦଧି ।
କୁମ୍ଭମେଳା ସମ୍ପର୍କରେ ଆମେ ଯେତେ ପୁସ୍ତକ, ପତ୍ରପତ୍ରିକା ଖୋଜି ତଥ୍ୟ ସଂଗ୍ରହ କରିଥିଲୁ କେବଳ ଆମ ଭିତରେ ନୁହେଁ ଅନେକଙ୍କ ଭିତରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିଥାଏ ଯେ କୁମ୍ଭମେଳାର ନାମକରଣ କିପରି ଓ କାହିଁକି ହୋଇଛି? ଆମେ ସଂସ୍କୃତ ଅଭିଧାନ ଖୋଜି ଏ ସମ୍ପର୍କରେ ଜାଣିବାକୁ ପାଇଲୁ ଯେ ଜଳଧାରଣ କରୁଥିବା ଏକ ପାତ୍ରର ସଂସ୍କୃତ ପ୍ରତିଶବ୍ଦ ହେଉଛି କୁମ୍ଭ । ଆମର ଦୁଇଟି ପ୍ରମୁଖ ବେଦ ଋଗ ବେଦ ଓ ସାମ ବେଦରେ ତଥା ବୈଦିକ ଶାସ୍ତ୍ର ମାନଙ୍କରେ ବିଶେଷ ଭାବେ ଏହି କୁମ୍ଭ ଶବ୍ଦର ବ୍ୟବହାରିକ ପ୍ରୟୋଗ ରହିଛି । ଜ୍ୟୋତିଷ ଶାସ୍ତ୍ରରେ ରାଶି ଚକ୍ରର ଗୋଟିଏ ରାଶି ମଧ୍ୟ କୁମ୍ଭ ନାମରେ ନାମିତ । ସେହିପରି ଯେଉଁଠାରେ ସାମୂହିକ ଜନସମାଗମ ଓ ରୀତିନୀତି ଅନୁଯାୟୀ ଉତ୍ସବ ଓ ମହୋତ୍ସବ ଓ ଅନୁଷ୍ଠାନ ଆୟୋଜିତ ହୋଇଥାଏ ଏହି ଜନସମାଗମକୁ ମେଳା କୁହାଯାଏ । ତେଣୁ କୁମ୍ଭମେଳାର ଆକ୍ଷରିକ ଓ ସର୍ବଗ୍ରହଣୀୟ ଅର୍ଥ ହେଉଛି ଅମୃତ ସ୍ୱରୂପା ତୋୟଃ ବା ଜଳକୁ ଧାରଣ କରୁଥିବା ବା ତାର ପ୍ରବାହକୁ ସୁଗମ କରି କୌଣସି ପବିତ୍ର ଐତିହ୍ୟ ଓ ସଂସ୍କୃତିପୂର୍ଣ୍ଣ ତୀର୍ଥ ସ୍ଥଳୀରେ ଏକତ୍ରିତ ହେବା, ଅମୃତ ସ୍ୱରୂପା ଜଳରେ ସ୍ନାନ କରି ପ୍ରାରବ୍ଧ, ସଞ୍ଚôତ ବା କ୍ରିୟମାଣ ପାପକଳ୍ମଷ ପ୍ରକ୍ଷାୟଳନ କରି ଶୁଦ୍ଧ ପବିତ୍ର ହେବା ଓ ପରମାର୍ଥିକ ଚେତନା ସାଗରରେ ଆପଣଙ୍କୁ ନିମଜ୍ଜିତ କରି ପାର୍ଥିବିକ ବନ୍ଧନରୁ ମୁକ୍ତି, ମୋକ୍ଷ ବା ନିର୍ବାଣର ସନ୍ଧାନ କରିବା । ପ୍ରୟାଗରାଜରେ ଅନୁଷ୍ଠିତ କୁମ୍ଭମେଳା ସମ୍ପର୍କରେ ଆଲୋଚନା କଲାବେଳେ ସବୁ ପୁରାଣ ଓ ଧର୍ମଗ୍ରନ୍ଥରେ ଉଲ୍ଲେଖ ରହିଛି ଯେ କୁମ୍ଭମେଳାର ପୁଣ୍ୟ ଦିବସ ମାନଙ୍କରେ ଗଙ୍ଗା, ଯମୁନା ଓ ଗୋଦବରୀର ପବିତ୍ର ଜଳ ପାଲଟିଯାଏ ଅମୃତ ବା ଅମରତ୍ୱ ପ୍ରଦାନକାରୀ ଦିବ୍ୟ ରସାୟନ । ଏହି ତୀର୍ଥ ସ୍ଥାନ ମାନଙ୍କରେ ହିନ୍ଦୁ ପଞ୍ଜିକା ନିର୍ଦ୍ଧାରିତ ଦିବସ ମାନଙ୍କରେ ଅନୁଷ୍ଠିତ ହେଉଥିବା ପ୍ରତିଟି କୁମ୍ଭମେଳାର ଅବଧି ହେଉଛି ଏକ ମାସରୁ ତିନି ମାସ । ତେବେ ଗର୍ବ ଓ ଗୌରବର କଥା ହେଉଛି ଆମ ଦେଶର ଏହି ଭବ୍ୟ ଓ ପ୍ରସିଦ୍ଧ ମହୋତ୍ସବ ଜାତିସଂଘର ୟୁନେସ୍କୋ ଦ୍ୱାରା ‘ଇନ୍ଟାଞ୍ଜିବଲ୍ କଲଚରାଲ ହେରିଟେଜ ଅଫ ହୁ୍ୟମାନିଟି’ର ଅନ୍ୟତମ ନମୁନା ବା ସ୍ମାରକ ଭାବରେ ସ୍ୱୀକୃତି ଲାଭ କରିଛି ।
ପବିତ୍ର ସଙ୍ଗମ ନଗରୀରେ ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳା ଅନୁଷ୍ଠିତ ହେଉଥିବା ବେଳେ ସନାତନ ଧର୍ମର ଆସ୍ଥାର ମହାପର୍ବ ମହାକୁମ୍ଭ ୧୪୪ ବର୍ଷ ପରେ ଅନୁଷ୍ଠିତ ହେଉଥିବାରୁ ହଜାର ହଜାର ନାଗା ସନ୍ନ୍ୟାସୀ ଏଥିରେ ଯୋଗ ଦେଇଥାନ୍ତି । ସର୍ବାଙ୍ଗରେ ଭସ୍ମ ଲେପନ ସହିତ ଅଦ୍ଭୂତ ବେଶଭୂଷା ଗତିବିଧି ଯୋଗୁଁ ସେମାନେ ପାଲଟିଥାନ୍ତି ସମସ୍ତଙ୍କର କୌତୁହଳ ଓ ଆକର୍ଷଣର କେନ୍ଦ୍ରବିନ୍ଦୁ । ମହାକୁମ୍ଭରେ ବିଶେଷ ଓ ସ୍ୱତନ୍ତ୍ର ଭାବେ ନାଗାସାଧୁ ମାନଙ୍କର ଆଖଡ଼ା ରହିଥିବାବେଳେ ଏକ ଅଲୌକିକ ଘଟଣା ଭାବରେ କେତେକ ମହିଳା ନାଗାସାଧୁ ମଧ୍ୟ ଏଥିରେ ସାମିଲ ହୋଇଥାନ୍ତି । ପୁରୁଷମାନେ ନାଗାସାଧୁ ହେବାର ଯେଉଁ ପ୍ରଥା, ପରମ୍ପରା, ବିଧି ବ୍ୟବସ୍ଥା ଓ ନିୟମ ରହିଛି ଠିକ ସମାନ ପରି ପ୍ରକ୍ରିୟା ମହିଳାମାନଙ୍କ ପାଇଁ ରହିଛି । ମହାକୁମ୍ଭରେ ସାମିଲ ହୋଇଥିବା ମହିଳା ନାଗାସାଧୁମାନେ ତପ ଶକ୍ତିରେ ପରିପୂର୍ଣ୍ଣ ଓ ଆଧ୍ୟାତ୍ମିକପୂର୍ଣ୍ଣ ମଧ୍ୟ । କୁହାଯାଏ ଯେତେବେଳେ ପୁରୁଷ ନାଗାସାଧୁ ଶାହୀ ସ୍ନାନ ପାଇଁ ପ୍ରବେଶ କରନ୍ତି ସେତେବେଳେ ସେମାନେ ପୁରୁଷରୂପୀ ନକାରାତ୍ମକ ଶକ୍ତିକୁ ନିୟନ୍ତ୍ରିତ କରିଦିଅନ୍ତି । ଠିକ ସେହିଭଳି ଭାବେ ମହିଳା ନାଗାସାଧୁ ମହାକୁମ୍ଭରେ ଶାହୀ ସ୍ନାନ କରିବାକୁ ଯାଆନ୍ତି । ସେହି ସମୟରେ ସେମାନଙ୍କ ମଧ୍ୟରେ ମହିଳାରୂପୀ ଅପଶକ୍ତି ଉପରେ ନିୟନ୍ତ୍ରଣ ହାସଲ କରିବାର ଶକ୍ତି ସଞ୍ଚରିତ ହୋଇଥାଏ । ଏହି ସମୟରେ ମହିଳା ନାଗାସାଧୁମାନଙ୍କ ମୁଖମଣ୍ଡଳରେ ଏକ ପ୍ରକାର ଦିବ୍ୟ ଜ୍ୟୋତି ପ୍ରଜ୍ଜ୍ୱଳିତ ଓ ଉଦଭାସିତ ହୋଇଥାଏ । ତେଣୁ ବିଶ୍ୱାସ ଓ ପରମ୍ପରା ରହିଛି ଶାହୀ ସ୍ନାନରେ ମହିଳା ନାଗାସାଧୁଙ୍କ ଅଂଶ ଗ୍ରହଣ ଏକ ଦିବ୍ୟ ବାତାବରଣ ସୃଷ୍ଟି କରିବା ସହିତ ସକାରାତ୍ମକ ଉର୍ଜ୍ଜାରେ ସାରା ପରିବେଶକୁ ପୂର୍ଣ୍ଣ କରିଦେଇଥାଏ ।
ମୋ :୯୨୩୮୬୦୨୮୨୫