ରାଜନୀତି କର୍ମୀ କିଣିବ ବିଜେଡ଼ି !

ରାଜନୀତି  କର୍ମୀ କିଣିବ ବିଜେଡ଼ି !

କର୍ମୀ କିଣିବ ବିଜେଡ଼ି ! କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେବି ବିଜେଡ଼ି ଅଳିନ୍ଦରେ ଏଭଳି ଚର୍ଚ୍ଚା ଜୋର୍‌ଧରିଛି  । କାହିଁକିନା ଭୋଟ୍‌ କିଣିବାକୁ ଟଙ୍କା ଦିଆଯିବା ଏକ ଧରାବନ୍ଧା କଥା ହୋଇଗଲାଣି  । ହେଲେ ଦଳର ସଭ୍ୟ ଓ କର୍ମୀ କିଣିବା ପାଇଁ ଟଙ୍କା ବାଣ୍ଟର ଏକ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଯାଇଛି  । ବିଜେଡ଼ିର ଏଭଳି ମତିଗତି ନେଇ ଗଣମାଧ୍ୟମରେ ବି ଖବର ପ୍ରକାଶ ପାଇଛି  ।

ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନ ଫଳାଫଳ ପର୍ଯ୍ୟନ୍ତ ବିଜେଡ଼ିର ସବୁଠାରୁ ପାୱାରଫୁଲ୍‌ ନେତା ଏବେ ଟଙ୍କା ବ୍ୟାଗ୍‌ ଧରି ବୁଲୁଛନ୍ତି  । ବିଜେଡ଼ି ସଭ୍ୟ ହେବା ପାଇଁ ଆଗଭଳି ଲୋକଙ୍କ ମନରେ ଆଗ୍ରହ ନାହିଁ  । କର୍ମୀମାନେ ବି ନୀରବରେ ବସି ପଡ଼ିଛନ୍ତି  । ତେବେ ଟାର୍ଗେଟ୍‌ ପୂରଣ ପାଇଁ ବିଧାୟକ ଓ ବିଧାୟକ ପ୍ରାର୍ଥୀମାନଙ୍କୁ ଡାକି ସେହି ପାୱାରଫୁଲ୍‌ ନେତା ଜଣଙ୍କ ୫ ଲକ୍ଷ ଟଙ୍କା ଲେଖାଏଁ ଦେଉଛନ୍ତି  । ସେହି ଟଙ୍କାରେ ସଭ୍ୟ ସଂଗ୍ରହ ଅଭିଯାନ ତ୍ୱରାନ୍ୱିତ କରାଯିବ  । ବିଜେପି ସଭ୍ୟ ହେବା ପାଇଁ ଲୋକଙ୍କ ମନରେ କ୍ରେଜ୍‌ ଥିବାବେଳେ ବିଜେଡ଼ି ଏଭଳି ରଣନୀତି କରିବାକୁ ବାଧ୍ୟ ହୋଇଛି  । 

ଏବର୍ଷ ବିଜେଡ଼ି କୋଟିଏ ପ୍ରାଥମିକ ସଭ୍ୟ ଓ ୩ ଲକ୍ଷ ସକ୍ରିୟ ସଭ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି  । ଆଗରୁ ବିଧାୟକମାନେ ନିଜ ନିର୍ବାଚନମଣ୍ଡଳୀର ପଞ୍ଚାୟତ ନେତାଙ୍କୁ ଡାକି ସଭ୍ୟ ସଂଗ୍ରହ ବହି ଧରାଇ ଦେଉଥିଲେ  । ନେତାମାନେ ବି ପ୍ରତିଯୋଗିତା କରି ବହି ନେଉଥିଲେ  । ହେଲେ ଏଥର କୁଆଡେ଼ ବହି ନେବାକୁ ପଞ୍ଚାୟତସ୍ତରର ନେତାଙ୍କ ମନରେ ଆଗ୍ରହ ନାହିଁ  । ସେହିପରି ପ୍ରାଥମିକ ସଭ୍ୟ ହେବାକୁ ୫ ଟଙ୍କା ଦେବାକୁ ପଡେ଼  । ପୂର୍ବରୁ ପଞ୍ଚାୟତ ନେତାମାନେ ନିଜ ହାତରୁ ଦେଇ ଟାର୍ଗେଟ୍‌ ପୂରଣ କରିଦେଉଥିଲେ  । କିନ୍ତୁ ଏବେ ସ୍ଥିତି ବଦଳିଯାଇଛି  । ବିଜେପି ସରକାର ଆସିବା ପରେ ବ୍ଳକ ଓ ପଞ୍ଚାୟତ କାମ ଉପରେ ବି ଅଙ୍କୁଶ ଲାଗିଛି  । ଆଉ ମାଲ୍‌ ମିଳିବାର ନଥିବାରୁ ନେତାମାନଙ୍କର ଆଗ୍ରହ ସ୍ୱାଭାବିକ ଭାବେ କମିଯାଇଛି  । ଏହାକୁ ଆଖିଆଗରେ ରଖି ବିଭିନ୍ନ ପଞ୍ଚାୟତକୁ ଟଙ୍କା ପଠାଇବାକୁ ଯୋଜନା କରାଯାଇଥିବା କୁହାଯାଉଛି  । ତେବେ ଏଭଳି ସଭ୍ୟ ସଂଗ୍ରହ ହେଲେ, ସେମାନେ କେବଳ ନାମକେ ୱାସ୍ତେ ହିଁ ସଭ୍ୟ ହେବେ, କିନ୍ତୁ କାମ୍‌କେ ୱାସ୍ତେ ନୁହେଁ  ।