ନଭେମ୍ବରରେ ରାଜ୍ୟ ଗସ୍ତ କରିବେ ତ ନବୀନ ?
ସାରା ରାଜ୍ୟରେ ଶକ୍ତି ବୃଦ୍ଧି ପାଇଁ ବିଜେପି ପଞ୍ଚାୟତସ୍ତରର ନେତାଙ୍କୁ ଟାର୍ଗେଟ୍ କରିଛି । ଦଳ ଦୁଇ ରାଜ୍ୟସଭା ସାଂସଦଙ୍କୁ ନେଇଥିଲେବି ଅସଲରେ ସରପଞ୍ଚ, ସମିତି ସଭ୍ୟ, ବ୍ଳକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟଙ୍କ ଉପରେ ହିଁ ବିଜେପିର ଆଖିରହିଛି । ଏନେଇ ବିଜେପି ଗୁପ୍ତ ରଣନୀତି କରିଛି । ବଡ଼ବଡ଼ ନେତାଙ୍କୁ ଆଣିବା ଅପେକ୍ଷା ପଞ୍ଚାୟତସ୍ତରୀୟ ନେତାଙ୍କୁ ଆଣି ବିଜେଡ଼ିର ମେରୁଦଣ୍ଡ ଭାଙ୍ଗିବାକୁ ଅମିତ ଶାହା ରଣନୀତି କରିଛନ୍ତି । ଦଳର ମନ୍ତ୍ରୀ ଓ ବିଧାୟକମାନଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।
ଇତିମଧ୍ୟରେ ବିଜେପି ତାହାର ରଣନୀତିରେ ସଫଳ ହୋଇଛି । ପୂର୍ବରୁ ଧର୍ମଶାଳା, ଖୋର୍ଦ୍ଧା, ଗଞ୍ଜାମ ଆଦି ଅଞ୍ଚଳର ସ୍ଥାନୀୟ ବିଜେଡ଼ି ନେତାମାନେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇସାରିଛନ୍ତି । ଏପରିକି ନବୀନଙ୍କ ହିଞ୍ଜିଳିରେ ବି ଏହାର ନଜିର ଦେଖିବାକୁ ମିଳିଛି । ଅନେକ ବିଜେଡ଼ି ସରପଞ୍ଚ, ସମିତିସଭ୍ୟ ଓ ବ୍ଳକ ଅଧ୍ୟକ୍ଷ ବିଜେପି ବିଧାୟକଙ୍କ ସହ ଭିତିରିଆ ସମର୍ଥନ ରଖି କାମ କରିବା ଆରମ୍ଭ କରିଦେଇଛନ୍ତି । ଆଜି ଗଁଦିଆ ବ୍ଲକ୍ ଅଧ୍ୟକ୍ଷା ରୀନା ରାଣୀ ଖଟୁଆ ବିଜେଡି ଛାଡି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଛନ୍ତି । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନଠାରେ ସେ ବିଜେପିରେ ସାମିଲ୍ ହୋଇଛନ୍ତି । ରୀନାଙ୍କ ସହ ୩୦ଜଣ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ବି ପଦ୍ମ ଧରିଛନ୍ତି । ଢେଙ୍କାନାଳର ଟାଣୁଆ ବିଜେଡ଼ି ନେତା ସୁଧୀର ସାମଲଙ୍କୁ ସେମାନେ ଦାୟୀ କରିଛନ୍ତି । ଭାତ ହାଣ୍ଡିରୁ ଗୋଟିଏ ଭଳି ଏହା ଏକ ଉଦାହରଣ ମାତ୍ର ।