ୱାଲଟିୟରକୁ ନେଇ ବିଜେଡ଼ି ଓ ବିଜେପି ମୁହାଁମୁହିଁ

bjd and bjp

ୱାଲଟିୟରକୁ ନେଇ ବିଜେଡ଼ି ଓ ବିଜେପି ମୁହାଁମୁହିଁ

ଭୁବନେଶ୍ୱର : ଶୀତ ଅଧିବେଶନର ଶେଷ ଦିନରେ ଗୃହରେ ୱାଲଟିୟର ତାତି ପରିଲକ୍ଷିତ ହୋଇଛି  । ପୂର୍ବତଟ ରେଳବାଇରୁ ୱାଲ୍ଟିୟର ଡିଭିଜନ ଅଲଗା କରିବା ପ୍ରସ୍ତାବକୁ ବିଜେଡ଼ି ବିରୋଧ କରିଥିବାବେଳେ ଓଡ଼ିଶାରୁ ଇଞ୍ଚେ ରେଳ ଲାଇନ୍‌ ଅନ୍ୟ ଡିଭିଜନରେ ମିଶିବ ନାହିଁ ବୋଲି ବିଜେପି କହିଛି  । ବରଂ ପ୍ରସ୍ତାବିତ ରାୟଗଡ଼ା ଡିଭିଜନ ଦ୍ୱାରା ଓଡ଼ିଶା ପୂର୍ବାପେକ୍ଷା ଅଧିକ ରାଜସ୍ୱ ପାଇପାରିବ  ।

ଶୂନ୍ୟକାଳରେ ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଥମେ ଏହି ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ୍‌ କରିଥିଲେ  । ସେ କହିଥିଲେଯେ, ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ପୂର୍ବତଟ ରେଳପଥ ଓଡିଶାରେ ପ୍ରତିଷ୍ଠା କରାଯାଇଥିଲା  । ଜାନକୀବାବୁଙ୍କର ବି ଉଦ୍ୟମ ରହିଥିଲା  । ୱାଲ୍ଟିୟର ଡିଭିଜନ୍‌ ହେଉଛି ଇଷ୍ଟକୋଷ୍ଟର ମୁଖ୍ୟ ଅଂଶ  । ଏହାକୁ ସାଉଥ୍‌ କୋଷ୍ଟ ରେଲୱେ ସହ ମିଶାଇବାକୁ ଷଡଯନ୍ତ୍ର ଚାଲିଛି  । ଫଳରେ ଓଡିଶା ୨୦ ହଜାର କୋଟି ଟଙ୍କାର କ୍ଷତି ସହିବ ।  ଓଡିଶା ବିରୋଧରେ ଷଡଯନ୍ତ୍ରକୁ ଆମେ ବରଦାସ୍ତ କରିବୁନି ବୋଲି ସେ କହିଥିଲେ  । ଅନରୂପ ଭାବେ ବିଧାୟକ ଗଣେଶ୍ୱର ବେହେରା ବି ଟାର୍ଗେଟ୍‌ କରିଥିଲେ  । 

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଲେ, ୱାଲ୍ଟିୟର ଡିଭିଜନକୁ କାଢ଼ି ନେଲେ ରାଜ୍ୟର କ୍ଷତି ହେବ  । ବିଜେପି ସରକାର ଓଡିଶାର ଖଣି, ପାଣି ଲୁଣ୍ଠନ କରିବାକୁ ଯୋଜନା କରିଛି  । କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ମଧ୍ୟ ବିଜେପିକୁ ସମାଲୋଚନା କରିଥିଲେ  ।

ଏହି ସମୟରେ ଗୃହରେ ଉପସ୍ଥିତ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କାଉଣ୍ଟର ଆଟାକ୍‌ କରିଥିଲେ  । ସିଧାସିଧା କହିଥିଲେ, ଓଡିଶାରୁ ଗୋଟିଏ ଇଞ୍ଚ ବି ରେଳ ଲାଇନ୍‌ ଅନ୍ୟ ଆଡକୁ ଯିବନି । ପୂର୍ବତଟ ରେଳପଥ ଅଧୀନରେ ତିନିଟି ଯାକ ଡିଭିଜନ୍‌ ରହିବା ସହ ରାୟଗଡା ଡିଭିଜନ୍‌ ପାଇଁ ୧୦୭ କୋଟି ଟଙ୍କାର ଟେଣ୍ଡର୍‌ ଡକାସରିଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଅନୁରୂପ କଥା କହିଥିଲେ  । ଶାସକ ଦଳ ବିଧାୟକ ସର୍ବଶ୍ରୀ ଟଙ୍କଧର ତ୍ରିପାଠୀ, ଅମରେନ୍ଦ୍ର ଦାସ ଓ ସିଦ୍ଧାନ୍ତ ମହାପାତ୍ର ରେଳବାଇର ବିକାଶରେ ମୋଦି ସରକାରଙ୍କ ଅବଦାନ କଥା ଉପସ୍ଥାପିତ କରିଥିଲେ  ।