୯୬୪ ଜଣଙ୍କୁ ନିଯୁକ୍ତି : ଏଯାଏଁ ୨୮୩୪୬ ସରକାରୀ ନିଯୁକ୍ତି
ଭୁବନେଶ୍ୱର: ପାଞ୍ଚ ବିଭାଗର ୯୬୪ ଜଣଙ୍କୁ ମିଳିଛି ନିଯୁକ୍ତି ପତ୍ର । ନୂଆ ସରକାର ଆସିବା ପରେ ୨୮୩୪୬ ସରକାରୀ ଓ ୪୫ ହଜାର ବେସରକାରୀ ନିଯୁକ୍ତି ମିଳିଛି । ଯୁବଶକ୍ତିଙ୍କ ଭିତରେ ଥିବା ଶକ୍ତି, ସାମର୍ଥ୍ୟକୁ ରାଜ୍ୟର ବିକାଶ ସହିତ ସମାଜ କଲ୍ୟାଣରେ ଉପଯୋଗ କରିବା ପାଇଁ ଆମେ ପ୍ରାଧାନ୍ୟ ଦେଉଛୁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି ।
ସୂଚନାଯୋଗ୍ୟଯେ, ଆଜି ୫ଟି ବିଭାଗର ୯୬୪ଟି ପଦବୀ ପୂରଣ ପାଇଁ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା । ଏଥିରେ ପୂର୍ତ୍ତ ବିଭାଗର ୫୬୩, ଜଳ ସମ୍ପଦ ବିଭାଗର ୬୨, ପଞ୍ଚାୟିତରାଜ ଓ ପାନୀୟ ଜଳ ବିଭାଗର ୧୧୭, ଗୃହ ନିର୍ମାଣ ବିଭାଗର ୨୦୪ ଏବଂ ଖାଦ୍ୟ ଯୋଗାଣ ବିଭାଗର ୧୮ ପଦବୀରେ ନିଯୁକ୍ତି ଦିଆଯାଇଛି । ମୁଖ୍ୟଅତିଥିଭାବେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତଙ୍କୁ ରଜ ଶୁଭେଚ୍ଛା ଜଣାଇ ଉଦବୋଧନ ଦେଇ କହିଥିଲେଯେ, ସରକାରୀ ଚାକିରୀ ସର୍ବଦା ଜନସେବା ପାଇଁ ଉସôର୍ଗୀକୃତ । ବିଗତ କିଛି ବର୍ଷ ଧରି ସରକାରୀ କ୍ଷେତ୍ରରେ ନିଯୁକ୍ତି ପ୍ରକ୍ରିୟା ମନ୍ଥର ଗତିରେ ଚାଲିଥିଲା । ଆମ ସରକାର ଆସିବା ପରେ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଯୁବଶକ୍ତିଙ୍କ ନିୟୋଜନକୁ ଗୁରୁତ୍ୱଦେଇ ଅପାର ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛୁ । ଆମ ସରକାର ୫ ବର୍ଷରେ ଦେଢ ଲକ୍ଷ ସରକାରୀ ପଦବୀ ପୂରଣ କରିବା ପାଇଁ ନିଷ୍ପତ୍ତି ନେଇଛି । ପ୍ରଥମ ୨ ବର୍ଷରେ ୬୫ ହଜାର ପଦବୀ ପୂରଣ ହେବ । ଆଜିସୁଦ୍ଧା ୨୮,୩୪୬ ସରକାରୀ ନିଯୁକ୍ତି ଦିଆଗଲାଣି । ୨୦୨୬ ଜୁନ ସୁଦ୍ଧା ଆମେ ଆମର ଧାର୍ଯ୍ୟ ଲକ୍ଷ୍ୟ ୬୫ ହଜାର ଅତିକ୍ରମ କରିଯାଇଥିବୁ । କେବଳ ସରକାରୀ ସ୍ତରରେ ନୁହେଁ, ବେସରକାରୀ ସ୍ତରରେ ପ୍ରଥମ ବର୍ଷରେ ଆମେ ୪୫ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇଛୁ । ଗୋଟଏ ବର୍ଷ ମଧ୍ୟରେ ଆମେ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ୭୩,୩୪୬ ଜଣଙ୍କୁ ନିଯୁକ୍ତି ଦେଇଛୁ । ସେ ଆହୁରି କହିଥିଲେ, ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ବୟସ ସୀମା ୪୨ ବର୍ଷକୁ ବୃଦ୍ଧି କରାଯାଇଛି । ଶିଳ୍ପାୟନ ମାଧ୍ୟମରେ ଯୁବଶକ୍ତିଙ୍କ ପାଇଁ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟିହୋଇଛି । ଉକôର୍ଷ ଓଡିଶାରେ ୧୭ ଲକ୍ଷର ପୁଞ୍ଜିନିବେଶ ସହ ୧୨.୯୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଉକôର୍ଷ ଓଡିଶା ଆୟୋଜନର ୫ ମାସ ମଧ୍ୟରେ ୫୬ଟି ଶିଳ୍ପାନୁଷ୍ଠାନର ଉଦଘାଟନ ଓ ଭିତ୍ତିପ୍ରସ୍ତର ଦିଆଯାଇଛି । ଏହା ମାଧ୍ୟମରେ ୧.୧୦ ଲକ୍ଷ ନିଯୁକ୍ତି ନିଶ୍ଚିତ ହୋଇଛି । ସେ ପୁଣି କହିଥିଲେ, ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ, ପାରଦର୍ଶୀ ଓ ଦୁର୍ନୀତିମୁକ୍ତ କରିବା ପାଇଁ କଡା ଆଇନ ପ୍ରଣୟନ କରାଯାଇଛି । ଶେଷରେ ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତଙ୍କୁ ସମାଜ ଓ ରାଜ୍ୟର ବିକାଶ ପାଇଁ ସମସ୍ତେ ଦୁର୍ନୀତିରୁ ଉର୍ଦ୍ଧ୍ୱରେ ରହି ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ କାର୍ଯ୍ୟର ସଫଳ ରୂପାୟନ ପାଇଁ ଦୃଢ ପ୍ରତିବଦ୍ଧ ହେବା ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଏହି ଅବସରରେ ବିଭିନ୍ନ ବିଭାଗର ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ, ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ କହିଥିଲେଯେ, ଆମ ସରକାର ଖାଲି ଥିବା ସରକାରୀ ପଦବୀ ଗୁଡିକୁ ପୂରଣ କରିବା ଲକ୍ଷ୍ୟନେଇ କାମ ଆରମ୍ଭ କରିଥିଲେ । ଏହି ବର୍ଷକ ମଧ୍ୟରେ ଆମେ ଯେତିକି ସରକାରୀ ପଦବୀ ପୂରଣ କରିଛୁ ସ୍ୱାଧୀନତା ପରେ ଓଡିଶା ଇତିହାସରେ ଏହା କେବେ ହୋଇନଥିଲା । ଓଡିଶା ବିକାଶ ରଥର ଡୋରି ଆପଣମାନଙ୍କ ହାତରେ ବୋଲି ସେମାନେ କହିଥିଲେ । କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗର ନବ ନିଯୁକ୍ତ ଶିବଲାଲ୍ କିଶନ, ଜଳ ସମ୍ପଦ ବିଭାଗର ଅନୁସୟା ମହାନ୍ତି, ନଗର ଉନ୍ନୟନ ବିଭାଗର ବି. ପ୍ରବୋଧ ରଞ୍ଜନ ପାତ୍ର ଓ ସନ୍ଧ୍ୟାରାଣୀ ସାହୁ, ପଞ୍ଚାୟତିରାଜ ବିଭାଗର ଚଣ୍ଡୀପ୍ରସାଦ ମିଶ୍ର ଏବଂ ଖାଦ୍ୟ ଯୋଗାଣ ବିଭାଗର ଆଦ୍ୟାଶ ସିଂ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ସମୟାନୁଭିତ୍ତିକ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିବାବେଳେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।