କାହିଁକି ବିଧାୟକଙ୍କୁ ଡାକିଲେ ନବୀନ ?
Naveen Pattanaik Biju Janata Dal VK Pandian
ଭୁବନେଶ୍ୱର : ବିଧାନସଭା ଅଧିବେଶନ ସରିବା ପରେ ସାଧାରଣତଃ ବିଜେଡ଼ି ବିଧାୟକମାନେ ନିଜ ନିଜ ନିର୍ବାଚନମଣ୍ଡଳୀ ଯାଇଥା’ନ୍ତି । କିନ୍ତୁ ଆଜି ବିଜେଡ଼ି ବିଧାୟକମାନେ ନବୀନ ନିବାସ ମୁହାଁଇଥିଲେ । ନବୀନ ନିବାସରୁ ବିଧାୟକମାନଙ୍କୁ ଡକରା ଆସିଥିଲା । ଯାହାକୁ ନେଇ ସ୍ୱାଭାବିକ ଭାବେ ରାଜନୀତିକ ଅଳିନ୍ଦରେ ଜୋରଦାର ଚର୍ଚ୍ଚା ହୋଇଛି ।
ଅତୀତରେ ଏମିତି କେବେ ଦେଖିବାକୁ ମିଳିନଥିଲା । ସହଜେ ତ କ୍ଷମତାରେ ଥିବାବେଳେ ନବୀନବାବୁ ବିଧାୟକମାନଙ୍କୁ ବାସି ପାଣିରେ ବି ପଚାରୁନଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ବି କାଠିକର ପାଠ ଥିଲା । କିନ୍ତୁ ହାରିବା ପରେ ନବୀନଙ୍କ ଆଭିମୁଖ୍ୟ ବଦଳିଯାଇଛି । ହଠାତ୍ ନବୀନ ବିଧାୟକମାନଙ୍କୁ ଲୋଡ଼ିବା ଆରମ୍ଭ କରିଛନ୍ତି ।
ତେବେ କାହିଁକି ନବୀନ ଡାକିଛନ୍ତି ତାହାକୁ ନେଇ ଭିନ୍ନଭିନ୍ନ ଚର୍ଚ୍ଚା ହେଉଛି । ଏବେ ଦଳର ସଭ୍ୟ ସଂଗ୍ରହ ଅଭିଯାନ ଚାଲିଛି । ଏହାପରେ ଦଳର ସାଂଗଠନିକ ପୁନର୍ଗଠନ ହେବ । କେଉଁ ଅଞ୍ଚଳରେ ସଭ୍ୟ ସଂଗ୍ରହ କିଭଳି ଚାଲିଛି ସେନେଇ ବି ନବୀନ ଅନୁଧ୍ୟାନ କରିଛନ୍ତି । ସେହିପରି ନଭେମ୍ବରରେ ନବୀନ ବାବୁ ଓଡ଼ିଶା ବୁଲିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ତାହାକୁ ସ୍ଥଗିତ ରଖାଯାଇଛି । ସମ୍ଭବତଃ ନୂଆ ବର୍ଷରୁ ନବୀନ ଓଡ଼ିଶା ବୁଲି ବିଜେଡ଼ି ସଂଗଠନକୁ ମଜବୁତ କରିବାକୁ ଯୋଜନା କରିଛନ୍ତି । ଏଥିପାଇଁ ବିଧାୟକମାନଙ୍କୁ ବଡ଼ ସମାବେଶ କରିବା ପାଇଁ ଟାର୍ଗେଟ୍ ଦିଆଯିବ । ୨୦୨୪ ବିଜେଡ଼ି ପାଇଁ ଶୁଭଙ୍କର ନଥିଲା । ୨୪ ବର୍ଷର ସାମ୍ରାଜ୍ୟ ଭୁଷୁଡ଼ି ପଡ଼ିଥିଲା । ତେଣୁ ଚଳିତ ବର୍ଷ ବିଜେଡ଼ି କିଛି ନୂଆ କାମ ଆରମ୍ଭ ନକରି ନୂଆବର୍ଷରୁ ହିଁ ସବୁକିଛି ଶୁଭାରମ୍ଭ କରିବାକୁ ଯୋଜନା କରିଛି । ଏଯାବତ୍ ବିଜେଡ଼ି ସରକାରଙ୍କ ବିରୋଧରେ ସେଭଳି ବଡ଼ ଧରଣର ଆନ୍ଦୋଳନ କରିନାହିଁ । ଜାନୁଆରୀରୁ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଜାଣିବାକୁ ମିଳିଛି । ପୂର୍ବ ସରକାର ଅମଳରେ ହୋଇଥିବା ଅନେକ ନିଷ୍ପତ୍ତିକୁ ବର୍ତ୍ତମାନର ସରକାର କାର୍ଯ୍ୟକାରୀ କରିନାହାନ୍ତି । ତେଣୁ ଏନଏସି ଗଠନ ଆନ୍ଦୋଳନରୁ ନେଇ ସାମ୍ପ୍ରତିକ ସ୍ଥିତି, ଧାନ ମଣ୍ଡି ସମସ୍ୟା, ପୋଲାଭରମ୍, ମହାନଦୀ, ରେଳବାଇ ଆଦି ପ୍ରସଙ୍ଗରେ ବିଜେଡ଼ି ଗର୍ଜନ କରିବାର ସମ୍ଭାବନା ରହିଛି ।