ବିଜେପି ରାଜ୍ୟ ସଭାପତି ପଦ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ

ଆଜିଠାରୁ ବିଜେପି ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପ୍ରକ୍ରିୟା ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି।  ରାଜ୍ୟ ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ ହେବ । ଏହା ପୂର୍ବରୁ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମତଦାତା ସୂଚୀ ପ୍ରକାଶ ପାଇଛି ।  ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ ହେବ। ଯଦି ସହମତି ଭିତ୍ତିରେ ଜଣେ ପ୍ରାର୍ଥୀ ନାମାଙ୍କନ ଭରନ୍ତି ତେବେ ଆସନ୍ତାକାଲି ହିଁ କିଏ ଆଗାମୀ ବିଜେପି ସଭାପତି ହେବେ ଜଣାପଡ଼ିଯିବ । ଯଦି ଏକାଧିକ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରନ୍ତି ତେବେ ୮ ତାରିଖରେ ନିର୍ବାଚନ ହେବ । ରାଜ୍ୟ ସଭାପତି ନିର୍ବାଚନ ନେଇ ଏବେ ବିଜେପିର ଦଳୀୟ ରାଜନୀତି ଉଷ୍ମ ହୋଇଛି । ବର୍ତ୍ତମାନର କାର୍ଯ୍ୟକାରୀ ସଭାପତି ମନମୋହନ ସାମଲ ପୁଣି ସଭାପତି ହେବେ ନା ଆଉ କିଏ ହେବେ, ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରି ଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ରାଜ୍ୟ ସଭାପତି ପାଇଁ ନାମାଙ୍କନପତ୍ର ଦାଖଲ କରିବାକୁ କୁହାଯାଇଛି । ସେ ଆଜି ବରଗଡ଼ରୁ ଭୁବନେଶ୍ବର ଆସୁଛନ୍ତି  । 

ମନମୋହନଙ୍କ ସମର୍ଥନରେ ବିଜେପିର ଗୋଟିଏ ଗୋଷ୍ଠୀ ଥିବାବେଳେ ପ୍ରଦୀପଙ୍କ ସମର୍ଥନରେ ଆଉ ଏକ ଗୋଷ୍ଠୀ ଅଛନ୍ତି। କେହି କାହାକୁ ସହଜରେ ବାଟ ଛାଡ଼ିବା ମୁଡ୍‌ରେ ନ ଥିବାରୁ ଉଭୟ ମନମୋହନ ଓ ପ୍ରଦୀପ ନାମାଙ୍କନ ଦାଖଲ କରିପାରନ୍ତି ।  ଏହାବ୍ୟତୀତ ଆଉ ଜଣେ ସାଧାରଣ ସମ୍ପାଦକ ଏବଂ ଜଣେ ପୂର୍ବତନ ସାଧାରଣ ସମ୍ପାଦକ ମଧ୍ୟ ନାମାଙ୍କନପତ୍ର ଦାଖଲ କରିପାରନ୍ତି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି  ।  ଏହି ଦୁଇ ଜଣ ଉପରୋକ୍ତ ଦୁଇ ଗୋଷ୍ଠୀର ଭୋଟ୍ ଭାଗ କରିବାକୁ ନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି ।