ପ୍ରଭାସିନୀ ଓ ଦେବୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା: ନିଯୁକ୍ତି ପତ୍ର ସହ ୧୦ ଲକ୍ଷ ଟଙ୍କା


 ଭୁବନେଶ୍ୱର : କଟକର ପ୍ରଭାସିନୀ ବେହେରା ଓ ରାୟଗଡାର ଦେବୀ ଶବର  । ଉଭୟଙ୍କ ଆଖିରେ ଥିଲା କୃତଜ୍ଞତାର ଅଶ୍ରୁ  । ସେମାନଙ୍କ ଦୁଃଖ ସମୟରେ ସେମାନଙ୍କୁ ସହାୟତାର ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ  । ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଲୋକପ୍ରିୟତା ହାସଲ କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁଣିଥରେ ନିଜର ସହୃଦୟତାର ପରିଚୟ ଦେଇଛନ୍ତି  ।  ଆଜି ସେମାନେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ  । ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ହୋମଗାର୍ଡ ପଦବୀ ପାଇଁ ନିଯୁକ୍ତି ପତ୍ର ଓ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ  । ମୁଖ୍ୟମନ୍ତ୍ରୀ ସେମାନଙ୍କର ଭଲମନ୍ଦ ପଚାରିଥିଲେ ଏବଂ ଅଧୈର୍ଯ୍ୟ ନହେବାକୁ ପରାମର୍ଶ ଦେଇଥିଲେ  । ମୁଖ୍ୟମନ୍ତ୍ରୀ କହିଥିଲେ, ସରକାର ସେମାନଙ୍କ ସହିତ ଅଛନ୍ତି  । ସେମାନଙ୍କର ଆଗାମୀ ଜୀବନ ଓ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ସର୍ବକୁଶଳ କାମନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହୃଦୟତା ପାଇଁ ସେମାନେ ଅଶ୍ରୁଳ ନୟନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ  । ପ୍ରଭାସିନୀଙ୍କ ସ୍ୱାମୀ ଜଗବନ୍ଧୁ ମାହାଲି ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିଲେ ଏବଂ ଦେବୀଙ୍କ ସ୍ୱାମୀ ଲୋକନାଥ ଶବର ଓଏପିଏଫ୍ ଯବାନ ଭାବେ କାର୍ଯ୍ୟ କରୁଥିଲେ  । ଉଭୟ କଟକରେ କର୍ତ୍ତବ୍ୟରତ ଥିବା ସମୟରେ ଗତ ୨୨ ତାରିଖ ଦିନ ପିସିଆର୍ ଭ୍ୟାନ୍ରେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରାଇଥିଲେ ।    ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର  ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ୍ ମହାନିଦେ୍ର୍ଦଶକ ୱାଇବି ଖୁରାନିଆ, ହୋମଗାର୍ଡ ଓ ଅଗ୍ନିଶମ ବିଭାଗର ମହାନିଦେ୍ର୍ଦଶକ ଡଃ ସୁଧାଂଶୁ ଷଡଙ୍ଗୀ ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ  ।